Categories: ବାଣିଜ୍ୟ

ବ୍ୟାଙ୍କିଙ୍ଗ ସିଷ୍ଟମ ନିରାପଦ: ଶକ୍ତିକାନ୍ତ

ମୁମ୍ବାଇ୨୮। ୩: ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ନିରାପଦ ରହିଛି। ବ୍ୟାଙ୍କକୁ ଶେୟାର ବଜାର କିମ୍ବା ଶେୟାର ପ୍ରାଇସ ସହ ତୁଳନା ନ କରିବା ଉଚିତ। ବ୍ୟାଙ୍କରେ ରହିଥିବା ଜମାକୁ ନେଇ ଜମାକାରୀ ଆତଙ୍କିତ ନ ହେବାକୁ ଶୁକ୍ରବାର ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ନିବେଦନ କରିଛନ୍ତି। ବ୍ୟାଙ୍କ ଜମା ସୁରକ୍ଷିତ ରହିଥିବାରୁ କୌଣସି ଭ୍ରାନ୍ତ ଧାରଣା ଲୋକମାନେ ନ ରଖନ୍ତୁ ବୋଲି ଶକ୍ତିକାନ୍ତ ସ୍ପଷ୍ଟ କରିଛନ୍ତି। ୟେସ୍‌ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ କଟକଣା ଲଗାଇବା ପରେ ଏହାର ଶେୟାର ମୂଲ୍ୟରେ ହ୍ରାସ ଦେଖାଦେଇଥିଲା। ଏହାବାଦ କରୋନା ଯୋଗୁ ମଧ୍ୟ ବ୍ୟାଙ୍କଗୁଡିକର ଶେୟାର ମୂଲ୍ୟ ଖସିଛି। ଏହା ପରେ ଲୋକଙ୍କ ମଧ୍ୟରେ ବ୍ୟାଙ୍କ ଜମାକୁ ନେଇ ବିଭିନ୍ନ ଭ୍ରାନ୍ତ ଧାରଣା ଉପୁଜିଛି। ଗଭର୍ନର ଲୋକଙ୍କ ମଧ୍ୟରେ ଭ୍ରାନ୍ତ ଧାରଣାକୁ ଦୂରକରିବା ଲାଗି ନିବେଦନ କରିଛନ୍ତି।
ଶକ୍ତିକାନ୍ତ କହିଛନ୍ତି, ଦେଶର ବ୍ୟାଙ୍କିଙ୍ଗ ସିଷ୍ଟମ ଉନ୍ନତ ସ୍ଥିତିରେ ରହିଥିବାରୁ ଏହାକୁ ନେଇ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ। ଲୋକମାନେ ଡରିଯାଇ କେତେକ ଘରୋଇ ବ୍ୟାଙ୍କରେ ରହିଥିବା ଜମାକୁ ଉଠାଇ ଆଣୁଛନ୍ତି। ଗର୍ଭନର ଲୋକମାନଙ୍କୁ ଜମାର ସୁରକ୍ଷା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ଦେଶରେ ରହିଥିବା ବାଣିଜି୍ୟକ ବ୍ୟାଙ୍କ ସମେତ ଘରୋଇ ବ୍ୟାଙ୍କଗୁଡିକର ଜମାକାରୀମାନେ ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ସେ ସରକାରୀ ଏବଂ ଘରୋଇ କର୍ତ୍ତୃପକ୍ଷଙ୍କ ନିବେଦନ କରିବା ସହ ଜମା ନ ଉଠାଇବାକୁ କହିଛନ୍ତି। ସୂଚନା ଯୋଗ୍ୟ ମହାରାଷ୍ଟ୍ର ଭଳି ରାଜ୍ୟ ଏହାର ସମସ୍ତ ବିଭାଗକୁ ଘରୋଇ ବ୍ୟାଙ୍କରେ ରହିଥିବା ଜମାକୁ ଉଠାଇ ନେବାକୁ ନିର୍ଦ୍ଦେଶ ଦେଇଛି। ଏଭଳି କାର୍ଯ୍ୟ ନ କରିବାକୁ ପୂର୍ବରୁ କେନ୍ଦ୍ରୀୟ ବ୍ୟାଙ୍କ ରାଜ୍ୟଗୁଡିକୁ ପରାମର୍ଶ ଦେଇଥିଲେ ମଧ୍ୟ ରାଜ୍ୟଗୁଡିକ ଏ ନେଇ କୌଣସି କର୍ଣ୍ଣପାତ କରୁନ ଥିବା ଦେଖାଯାଇଛି। ୟେସ୍‌ ବ୍ୟାଙ୍କ ଉପରେ କଟକଣା ଲାଗିବା ଯୋଗୁ ଲୋକମାନେ ବ୍ୟାଙ୍କରେ ରହିଥିବା ସେମାନଙ୍କ ଜମା ଅର୍ଥ ତ୍ୱରିତ ଭାବେ ଉଠାଇ ନେଉଥିବା ଦେଖାଯାଇଥିଲା। ମାତ୍ର ବ୍ୟାଙ୍କ ଉପରେ କଟକଣା ହଟିବା ପରେ ଏବେ ସବୁକିଛି ସ୍ବାଭାବିକ ସ୍ଥିତିକୁ ଫେରିଥିବା ସୂଚନା ରହିଛି।

Share