ବ୍ୟାଙ୍କ କାରବାର ଠପ୍‌

ଭୁବନେଶ୍ୱର,୧।୨: ବେତନ ସଂଶୋଧନ ଦାବିରେ ବ୍ୟାଙ୍କ ସଂଘଗୁଡିକ ଦେଇଥିବା ୨ ଦିନିଆ ଧର୍ମଘଟ ଡାକରା ଯୋଗୁ ସାରା ଦେଶରେ ବ୍ୟାଙ୍କ କାରବାର ଠପ୍‌ ହୋଇଯାଇଛି। ୟୁନାଇଟେଡ ଫୋରମ୍‌ ଅଫ୍‌ ବ୍ୟାଙ୍କ୍‌ ୟୁନିୟନ୍ସ(ୟୁଏଫ୍‌ବିୟୁ) ପକ୍ଷରୁ ଦିଆଯାଇଥିବା ଏହି ଧର୍ମଘଟ ଡାକରାରେ ଦେଶର ୧୦ ଲକ୍ଷ ବ୍ୟାଙ୍କ କର୍ମଚାରୀ ସାମିଲ ହୋଇଛନ୍ତି। ଏହି ଧର୍ମଘଟରେ ଓଡିଶାର ୪୦ ହଜାର କର୍ମଚାରୀ ସାମିଲ ହୋଇଥିବା ସୂଚନା ରହିଛି। ଶୁକ୍ରବାର ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ ସମସ୍ତ ସ୍ଥାନରେ କର୍ମଚାରୀମାନେ ବ୍ୟାଙ୍କ ସାମ୍ନାରେ ପିକେଟିଂ କରିବା ସହ ଧାରଣା ଦେଇଥିଲେ। କେତେକ ସ୍ଥାନରେ କର୍ମଚାରୀମାନେ ଘରୋଇ ବ୍ୟାଙ୍କ ଶାଖାକୁ ମଧ୍ୟ ପିକେଟିଂ କରି ବନ୍ଦ କରିଥିବା ଦେଖାଯାଇଥିଲା। ଏହି ଧର୍ମଘଟରେ ରାଜ୍ୟର ୫ ହଜାର ବ୍ୟାଙ୍କ ଶାଖା ବନ୍ଦ ରହିଛି। ଫଳରେ ବ୍ୟାଙ୍କ କାରବାର ଠପ୍‌ ହୋଇଯାଇଛି। ଗୁରୁବାର ସରସ୍ବତୀ ପୂଜା ଯୋଗୁ ବ୍ୟାଙ୍କ ବନ୍ଦ ରହିଥିଲା। ଶୁକ୍ରବାର ଏବଂ ଶନିବାର ଧର୍ମଘଟ ଯୋଗୁ ବ୍ୟାଙ୍କ ସେବା ଲୋକ ପାଇବେ ନାହିଁ। ରବିବାର ଛୁଟି ଯୋଗୁ ବ୍ୟାଙ୍କ ବନ୍ଦ ରହିବ। ମୋଟାମୋଟି ଭାବେ କହିବାକୁ ଗଲେ ୪ ଦିନ ଲଗାତର ବ୍ୟାଙ୍କ ବନ୍ଦ ରହିବ। ଏହି ସମୟରେ ଏଟିଏମ୍‌ ସେବା ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଇଛି। ରାଜ୍ୟରେ ପ୍ରଥମ ଦିନ ଧର୍ମଘଟ ସଫଳ ହୋଇଥିବାରୁ କର୍ମଚାରୀଙ୍କୁ ଏଆଇବିଓସି ରାଜ୍ୟ ସଭାପତି ଦାମୋଦର ନନ୍ଦ ଧନ୍ୟବାଦ ଦେଇଛନ୍ତି। ଧର୍ମଘଟରେ ଏଆଇବିଇଏ, ଏଆଇବିଓସି, ଏନ୍‌ସିବିଇ, ଏଆଇବିଓଏ, ବିଇଏଫ୍‌ଆଇ, ଆଇଏନ୍‌ବିଇଏଫ୍‌, ଆଇଏନ୍‌ବିଓସି, ଏନ୍‌ଓବିଓଡବ୍ଲ୍ୟୁ ଏବଂ ଏନ୍‌ଓବିଓ ଭଳି ସଂଘ ଯୋଗ ଦେଇଛନ୍ତି। ସଂଘଗୁଡିକ ୧୨ ଦଫା ଦାବି ରଖିଛନ୍ତି। ମଜୁରି ସଂଶୋଧନରେ ୨୦% ବୃଦ୍ଧି, ୫ ଦିନ କାର୍ଯ୍ୟ ଦିବସ, ବେସିକ୍‌ ପେ ସହ ସ୍ବତନ୍ତ୍ର ଭତ୍ତା ମିଶ୍ରଣ, ସ୍ବତନ୍ତ୍ର ପେନସନ ସ୍କିମ, ପରିବାର ପେନସନ ବୃଦ୍ଧି ଭଳି ଦାବି ଏହା ମଧ୍ୟରେ ସାମିଲ ରହିଛି। ଦାବି ଉପରେ ବିହିତ ପଦକ୍ଷେପ ଗ୍ରହଣ କରା ନ ଗଲେ ମାର୍ଚ୍ଚ ମାସ ୧୧,୧୨ ଏବଂ ୧୩ ତାରିଖରେ ୩ ଦିନ ଧର୍ମଘଟ ହେବ। ପୁଣି ଯଦି ଦାବି ପୂରଣ ନ ହୁଏ ତେବେ ଏପ୍ରିଲ ପହିଲାରୁ ଅନିର୍ଦ୍ଦିଷ୍ଟ କାଳ ଲାଗି କର୍ମଚାରୀମାନେ ଧାରଣାରେ ବସିବେ।

Share