ବ୍ୟାଙ୍କ ଖାତା ଅପ୍‌ଡେଟ ପାଇଁ ଖରାରେ ଲମ୍ବା ଧାଡ଼ି, ରହୁନି ସାମାଜିକ ଦୂରତ୍ୱ

ଗଞ୍ଜାମ, ୨୭।୪(ଡି.ଏନ୍‌.ଏ.): କରୋନା ଭୂତାଣୁ ସାରା ବିଶ୍ୱରେ କାୟା ବିସ୍ତାର କରିଚାଲିଛି। କମିବାର ନା ଧରୁନି । ବାଧ୍ୟ ହୋଇ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ ଅବଧି ବଢ଼ାଯାଇଛି। ଭୟରେ ଲୋକେ ଘରୁ ବାହାରକୁ ବାହାରି ପାରୁନାହାନ୍ତି । ଏପରି ଅବସ୍ଥାରେ ଲୋକେ ନିଜ ପାସ୍‌ବୁକ ଅପ୍‌ଡେଟ ପାଇଁ ଘଣ୍ଟା ଘଣ୍ଟା ଧରି ଖରାରେ ବ୍ୟାଙ୍କ ସମ୍ମୁଖରେ ଛିଡା ହେଉଛନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଗଞ୍ଜାମ ବ୍ଲକ ସନ୍ତୋଷପୁରଠାରେ। ଲକ୍‌ଡାଉନ ଯୋଗୁ ସରକାର ରାଶନକାର୍ଡ ହିତାଧିକାରୀଙ୍କୁ ଆଗୁଆ ତିନି ମାସର ଚାଉଳ ପ୍ରଦାନ କରିବା ସହ ଚାରି ମାସର ଭତ୍ତା ଏବଂ ଉଜ୍ୱଲା ଗ୍ୟାସରେ ପଇସା ପ୍ରଦାନ କରିଛନ୍ତି । ପାସ ବୁକ୍‌କୁ ଟଙ୍କା ଆସିଛି କି ନାହିଁ ତାହା ଜାଣିବା ପାଇଁ ଲୋକେ ପ୍ରତିଦିନ ବ୍ୟାଙ୍କ ନିକଟରେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି।