ବ୍ୟାଙ୍କ ଧର୍ମଘଟ ଯୋଗୁ ଜମାକାରୀ ହଇରାଣ

ବାରିପଦା ଅଫିସ,୨୩ା୧୦- ଦିନିକିଆ ସର୍ବ ଭାରତୀୟ ବ୍ୟାଙ୍କ ଧର୍ମଘଟ ଯୋଗୁଁ ବାରିପଦାଠାରେ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହୋଇଥିଲା। ସେହିପରି ଧର୍ମଘଟରେ ସାମିଲ ହୋଇ ନ ଥିବା ସତ୍ତ୍ୱେ ବାରିପଦାର ବିଭିନ୍ନ ଏସବିଆଇରେ ବ୍ୟାଙ୍କ ସେବା ବନ୍ଦ ରହି ଥିବାରୁ ଜମାକାରୀ ବହୁ ହଇରାଣ ହରକତ ହୋଇଥିଲେ। ଏଥିନେଇ ବ୍ୟାଙ୍କଗୁଡିକରେ ଗ୍ରାହକ ଓ ବ୍ୟାଙ୍କ କର୍ମଚାରୀମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ଦେଖିବାକୁ ମିଳିଥିଲା। ସରକାରଙ୍କ ବ୍ୟାଙ୍କ ମିଶ୍ରଣ ନୀତିକୁ ବିରୋଧ କରି ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କର କର୍ମଚାରୀମାନେ ବାରିପଦା ବ୍ୟାଙ୍କ ଅଫ ଇଣ୍ଡିଆର ମୁଖ୍ୟ ଶାଖା ସମ୍ମୁଖରେ ଏକତ୍ରୀତ ହୋଇ ନାରାବାଜି କରିଥିଲେ। ପରେ ସହର ପରିକ୍ରମା କରି ବିଭିନ୍ନ ବ୍ୟାଙ୍କ ସମ୍ମୁଖରେ ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ମିଶ୍ରଣ ଫଳରେ ଗ୍ରାହକ ଓ ବ୍ୟାଙ୍କ କର୍ମଚାରୀମାନେ ଅସୁବିଧାର ସମ୍ମୁଖିନ ହେବା ସହିତ ଏହା ଦ୍ୱାରା ଦେଶର ଅର୍ଥନୀତି ଉପରେ କ’ଣ ପ୍ରଭାବ ପଡ଼ିବ ସେ ନେଇ ବ୍ୟାଙ୍କ କର୍ମଚାରୀମାନେ ବ୍ୟାଙ୍କକୁ ଆସୁଥିବା ଜନସାଧାରଣଙ୍କୁ ବୁଝାଇଥିଲେ। ଧର୍ମଘଟରେ ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ପ୍ରତିନିଧି ତଥା ବ୍ୟାଙ୍କ ଅଫ ଇଣ୍ଡିଆର ଗଣେଶ୍ୱର ମହାପାତ୍ର, ମାନସ ରଞ୍ଜନ ଦାସ, ପ୍ରଶାନ୍ତ ମହାନ୍ତି, ପ୍ରକାଶ ଦାସ, ପ୍ରଦୀପ ପାଣିଗ୍ରାହୀ, କୃଷ୍ଣଚନ୍ଦ୍ର ନାଏକ, ୟୁନିୟନ ବ୍ୟାଙ୍କର ମିନା ବାସ୍କେ, ୟୁନାଇଟେଡ ବ୍ୟାଙ୍କର ଶାନ୍ତିଲତା ବେହେରା, ଓବିସି ବ୍ୟାଙ୍କର ଫାଗୁ ମାଝୀ, ୟୁକୋ ବ୍ୟାଙ୍କର ଅନୁପମା କିସ୍କୁ, କାନାରା ବ୍ୟାଙ୍କର ଗଣେଶ୍ୱର ସିଂ, କର୍ପୋରେସନ ବ୍ୟାଙ୍କର ହେମନ୍ତ ମହାଲିକ, ଆହ୍ଲାବାଦ ବ୍ୟାଙ୍କର ସୁଜିତ କୁମାର ସିଂଙ୍କ ସମେତ ଅନ୍ୟ ପ୍ରତିନିଧିମାନେ ସାମିଲ ହୋଇଥିଲେ। ଅନ୍ୟପକ୍ଷେ ଏହି ଧର୍ମଘଟରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ସାମିଲ ନ ଥିବା ବେଳେ ବାରିପଦା ସହର ଭଞ୍ଜପୁର ବ୍ରାଞ୍ଚରେ ବ୍ୟାଙ୍କ ସେବା ବନ୍ଦ ରହିଥିଲା। ସେଠାରେ ଗ୍ରାହକ ଓ ବ୍ୟାଙ୍କ କର୍ମଚାରୀମାନଙ୍କ ମଧ୍ୟରେ କଥା କଟାକଟି ହେବା ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। ଏ ନେଇ ଏହି ବ୍ୟାଙ୍କର ମ୍ୟାନେଜର ଦୁର୍ଗାପ୍ରସାଦ ସେଠୀଙ୍କୁ ପଚାରିବାରୁ ଯେଉଁ ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ ପାଳନ କରୁଥିଲେ ସେମାନେ ଏଠାକୁ ଆସି ବ୍ୟାଙ୍କ ସେବା ବନ୍ଦ କରିବାକୁ କହିଥିଲେ। ପରିସ୍ଥିତିକୁ ନଜରରେ ରଖି ସେବା ବନ୍ଦ କରିବାକୁ ବାଧ୍ୟ ହୋଇଥିଲୁ ବୋଲି କହିଛନ୍ତି।