ବ୍ୟାଙ୍କ ମ୍ୟାନେଜରଙ୍କୁ ଘରେ ବନ୍ଦକରି ସର୍ବସ୍ବ ଲୁଟିନେଲେ ଲୁଟେରା

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ଓ ଏହାର ଉପକଣ୍ଠ ଅଞ୍ଚଳରେ ଡକାୟତ ଗ୍ୟାଙ୍ଗ ସକ୍ରିୟ ହୋଇଉଠିଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁରୁଣା ଭୁବନେଶ୍ୱର ସାମନ୍ତରାପୁର ଦିବ୍ୟବିହାର ଅଞ୍ଚଳରେ। ସୋମବାର ବିଳମ୍ବିତ ରାତିରେ ଦିବ୍ୟବିହାର ଅଞ୍ଚଳର ଜଣେ ବ୍ୟାଙ୍କ ମ୍ୟାନେଜର ଓ ତାଙ୍କ ସ୍ତ୍ରୀଙ୍କୁ ଘରେ ବନ୍ଦକରି ଲୁଟେରା କଳାକନା ବୁଲାଇଛନ୍ତି।
ସୂଚନା ଅନୁସାରେ, ଦିବ୍ୟବିହାର ଲେନ୍‌ ୭, ପ୍ଲଟ ନଂ. ୫୩/୧୩୯ରେ ବ୍ୟାଙ୍କ ମ୍ୟାନେଜର ବିଷ୍ଣୁଚରଣ ପଲାଇ ରୁହନ୍ତି। ସୋମବାର ରାତିରେ ସେ ପରିବାର ସହ ଖାଇପିଇ ଶୋଇଥିଲେ। ବିଳମ୍ବିତ ରାତିରେ ୫/୭ ଜଣ ଲୁଟେରା ଘର ପଛପଟ ଝରକା ଭାଙ୍ଗି ଭିତରେ ପଶିଥିଲେ । ଶବ୍ଦ ଶୁଣି ବିଷ୍ଣୁଚରଣ ଓ ତାଙ୍କ ସ୍ତ୍ରୀ ଉଠିପଡିବାରୁ ଲୁଟେରାମାନେ ତାଙ୍କୁ ଭୟଭିତ କରାଇ ଏକ ଘରେ ବନ୍ଦକରି ଦେଇଥିଲେ। ପରେ ଘରେଥିବା ସୁନା ଗହଣା, ନଗଦ ଟଙ୍କା ଓ ସମସ୍ତ ମୂଲ୍ୟବାନ ଜିନିଷ ଲୁଟି ନେଇଛନ୍ତି। ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଜିନିଷ ଲୁଟ୍‌ ହୋଇଥିବା ଜଣାପଡ଼ିଛି। ମଙ୍ଗଳବାର ସକାଳେ ଅଭିଯୋଗ ପରେ ଲିଙ୍ଗରାଜ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Share