ବ୍ୟାଙ୍କ ମ୍ୟାନେଜରଙ୍କୁ ମାଡ଼: ୩ ଗିରଫ

କଣ୍ଟାପଡ଼ା, ୨୯ା୧୨(ଡି.ଏନ୍‌.ଏ.): ଅଡ଼ଶପୁରସ୍ଥିତ କାନାରା ବ୍ୟାଙ୍କ ଶାଖା ମ୍ୟାନେଜରଙ୍କୁ ଗାଳିଗୁଲଜ ସହ ମାଡ଼ ମାରିବା ଅଭିଯୋଗରେ ଓଲଟପୁର ପୋଲିସ ଶନିବାର ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଅଡ଼ଶପୁର ଗ୍ରାମର ସ୍ମୃତିରଞ୍ଜନ ସାହୁ ଓରଫ ରମଣ, କଟକ ସଦର ଥାନା ଅନ୍ତର୍ଗତ ଗବିଲ ଗ୍ରାମର ସନାତନ ଭୋଇ ଓରଫ ସନା ଓ ରାଏପୁର ଗ୍ରାମର ଜିତନ ମହାନ୍ତି ଓରଫ ଜିତୁ। ସୂଚନା ଅନୁଯାୟୀ, ଗତ ୨୭ ତାରିଖ ଅପରାହ୍ନ ପ୍ରାୟ ୩ଟାରେ ସନାତନ ଓ ଜିତନ ବ୍ୟାଙ୍କରୁ ପଇସା ଉଠାଇବା ନେଇ ବିଳମ୍ବ ହେବାରୁ ପାଟିତୁଣ୍ଡ କରିଥିଲେ। ବ୍ୟାଙ୍କ ମ୍ୟାନେଜର ଅରୁଣ କୁମାର ଖଡ଼କା ସେମାନଙ୍କୁ ଅପେକ୍ଷା କରିବା ପାଇଁ କହିଥିଲେ। ମାତ୍ର ଅଭିଯୁକ୍ତଦ୍ୱୟ ଅପେକ୍ଷା ନ କରି ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ଟୋକନ ନେଇ ସେଠାରୁ ପଳାଇଥିଲେ। ସନ୍ଧ୍ୟା ପ୍ରାୟ ୬ଟାରେ ଅନ୍ୟତମ ଅଭିଯୁକ୍ତ ରମଣଙ୍କୁ ସାଙ୍ଗରେ ଆଣି ବ୍ୟାଙ୍କ ଭିତରେ ପାଟିତୁଣ୍ଡ କରିବା ସହ ପରିଚାଳକଙ୍କୁ ଗାଳିଗୁଲଜ ଓ ମାଡ଼ ମାରିଥିଲେ। ଏ ନେଇ ଅରୁଣଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା (ନଂ.୧୦୪/୧୯)ରୁଜୁ କରି ତଦନ୍ତ ଚଳାଇଥିଲା। ପୋଲିସ ଅଭିଯୁକ୍ତଙ୍କୁ ଶନିବାର ଅଡଶପୁରରୁ ଗିରଫ କରିଥିଲା।

Share