ବ୍ୟାଙ୍କ ସମ୍ମୁଖରେ ଲୋକଙ୍କ ଭିଡ଼: ରହୁନି ସାମାଜିକ ଦୂରତ୍ୱ, ଦାରିଙ୍ଗବାଡି ପୋଲିସର ମୃଦୁ ଲାଠିଚାଳନା

ଦାରିଙ୍ଗବାଡ଼ି,୧୫।୪(ଡି.ଏନ୍‌.ଏ): ସରକାରଙ୍କ ପକ୍ଷରୁ ଲକ୍‌ଡାଉନ ଅବଧିକୁ ମେ’ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ବ୍ୟାକୁଳତା ବଢ଼ିଯାଇଛି। ସରକାରଙ୍କ ବିଭିନ୍ନ ସହାୟତାରାଶି ବ୍ୟାଙ୍କ ଆକାଉଣ୍ଟକୁ ଆସିଥିବା ବେଳେ ଏହାକୁ ନେବା ପାଇଁ ବ୍ୟାଙ୍କ ସମ୍ମୁଖରେ ଲୋକଙ୍କ ଭିଡ଼ ଜମୁଛି। ପୂର୍ବାହ୍ନ ୧୦ଟାରେ ବ୍ୟାଙ୍କ ଖୋଲୁଥିବା ବେଳେ ସକାଳ ୭ରୁ ସେଠାରେ ଲୋକଙ୍କ ଗହଳି ଜମିଯାଉଛି। ସାମାଜିକ ଦୂରତ୍ୱ ରହୁ ନାହିଁ। ଫଳରେ ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଫେଲ ମାରୁଛି। ଫଳରେ ବୁଧବାର ସକାଳ ୮ଟାରେ ଦାରିଙ୍ଗବାଡ଼ିସ୍ଥିତ ସିମନବାଡ଼ି ବ୍ୟାଙ୍କରେ ଏତେ ଭିଡ଼ ଜମିଥିଲା ଯେ ପୋଲିସ ପକ୍ଷରୁ ଭିଡ଼ କମାଇବା ପାଇର୍ଁ ମୃଦୁ ଲାଠିଚଳନା କରିବାକୁ ପଡ଼ିଥିଲା। ସେହିପରି ଗ୍ରୋସରୀ କିଣିବା ବାହାନାରେ ଲୋକେ ଭିଡ଼ ଜମାଉଥିବା ବେଳେ ବ୍ୟାଙ୍କ, ମେଡିକଲର ବାହାନା ଦେଖାଇ ବହୁ ଅମାନିଆ ବାହାରେ ବୁଲୁଛନ୍ତି। ଏ ନେଇ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେପଟେ ବହୁତ କମ୍‌ ସମୟ ପାଇଁ ବ୍ୟାଙ୍କରେ ନେଣଦେଣ କରାଯାଉଥିବାରୁ ସକାଳ ୮ଟାରୁ ଖୋଲିବା ପାଇଁ ହିତାଧିକାରୀମାନେ ଦାବି କରିଛନ୍ତି।

Share