ବ୍ୟାଟେରି ଚୋରି ଘଟଣା: ୪ ଅଭିଯୁୁକ୍ତ କୋର୍ଟ ଚାଲାଣ

ରାଇରଙ୍ଗପୁର,୧୯ା୯(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ବାଦାମପାହାଡ ସ୍ଥିତ ଯୁକ୍ତ ୨ ବିଜ୍ଞାନ କଲେଜ ପରିସରରୁ ଗତ ଅଗଷ୍ଟ ୨୧ ତାରିଖରେ ୮ଟି ସୋଲାର ବ୍ୟାଟେରି ଚୋରି ଘଟଣାରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଦାମପାହାଡ ଥାନା ଅଧୀନ ଧାଙ୍ଗିଡିସୁତା ଗ୍ରାମର ନବାବଅଲ୍ଲୀ ଖାନ ଓ ଆକ୍ରମ ଅଲ୍ଲୀ, କାଦୁଆଣୀ ଗ୍ରାମର ଶାଙ୍ଖ ମାରାଣ୍ଡି ଏବଂ ସାରଶପଦା ଗ୍ରାମର ସାଇବା ହାଁସଦା। ଅଭିଯୁକ୍ତମାନଙ୍କଠାରୁ ଚୋରି ଯାଇଥିତ୍ବା ବ୍ୟାଟେରି ମଧ୍ୟରୁ ୪ଟି ଓ ସେମାନେ ବ୍ୟବହାର କରିଥିତ୍ବା ଏକ ବୋଲେରୋ ଗାଡି ଜବତ କରାଯାଇଛି। କଲେଜ ଅଧ୍ୟକ୍ଷ ଯଜ୍ଞେଶ୍ୱର ଦାସଙ୍କ ଲିଖିତ ଅଭିଯୋଗ କ୍ରମେ ବାଦାମପାହାଡ ଥାନା ପୋଲିସ ଏକ ମାମଲା(ନଂ.୩୯/୧୯) ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା।