ବାସନ୍ଦ ହୋଇପାରନ୍ତି କୋହଲି

ନୂଆଦିଲ୍ଲୀ,୪।୭- ଏକ ରୋମାଞ୍ଚଭରା ମ୍ୟାଚ୍‌ରେ ଭାରତୀୟ ଦଳ ୨୮ ରନ୍‌ରେ ବାଂଲାଦେଶକୁ ହରାଇ ଚଳିତ ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଛି। ଭାରତୀୟ ଦଳ ବିଶ୍ୱକପ୍‌ ଜିତିବା ନେଇ ପ୍ରଶଂସକମାନେ ଆଲୋଚନା କରୁଥିବାବେଳେ ସେମିଫାଇନାଲ ପୂର୍ବରୁ ବିରାଟ କୋହଲିଙ୍କୁ ଚିନ୍ତା କରିବାକୁ ପଡ଼ିବ। ଅତ୍ୟଧିକ ଅପିଲ ଓ ଅନ୍‌ ଫିଲ୍ଡ ଅମ୍ପାୟରଙ୍କ ସହ ଯୁକ୍ତିତର୍କ ଲାଗି ଭାରତୀୟ ଦଳର ଅଧିନାୟକ ଗୋଟିଏ ମ୍ୟାଚ୍‌ରୁ ବ୍ୟାନ ହୋଇପାରନ୍ତି। ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ୧୨ତମ ଓଭରରେ ମହମ୍ମଦ ସାମିଙ୍କ ବଲ ସୌମ୍ୟ ସରକାରଙ୍କ ପ୍ୟାଡ୍‌ରେ ବାଜିଥିଲା। ଏଥିନେଇ କୋହଲି ଅପିଲ କରିଥିଲେ। ହେଲେ ଫିଲ୍ଡ ଅମ୍ପାୟର ମାରିଅସ ଏରାମମୁସ ପ୍ରତ୍ୟାଖ୍ୟାନ କରିଥିଲେ। କୋହଲି ଡିଆରଏସ ବ୍ୟବହାର କରିବା ପରେ ସୌମ୍ୟଙ୍କ ବ୍ୟାଟରେ ବଲ ବାଜିଥିବାରୁ ତୃତୀୟ ଅମ୍ପାୟର ନଟ୍‌ଆଉଟ୍‌ ଦେଇଥିଲେ। ଏହାସତ୍ତ୍ୱେ କୋହଲି ଫିଲ୍ଡ ଅମ୍ପାୟରଙ୍କ ସହ ବ୍ୟାଟ୍ସମ୍ୟାନଙ୍କ ପ୍ୟାଡରେ ପ୍ରଥମେ ବଲ ବାଜିଥିବା ନେଇ ଯୁକ୍ତି ବାଢ଼ିଥିଲେ। ଏଥିପୂର୍ବରୁ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସମାନ କାରଣ ଯୋଗୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ କାଟ୍‌ କରାଯିବା ସହ ଗୋଟିଏ ଡିମେରିଟ ପଏଣ୍ଟ ମଧ୍ୟ ଦିଆଯାଇଥିଲା। ଭାରତୀୟ ଅଧିନାୟକଙ୍କୁ ୨୦୧୮ ଜାନୁୟାରୀ ୧୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଏକ ଡିମେରିଟ୍‌ ପଏଣ୍ଟ ମିଳିଥିଲା। ଖେଳାଳି ଓ ମ୍ୟାଚ୍‌ ଅଫିସିଆଲଙ୍କ ଲାଗି ଉଦ୍ଦିଷ୍ଟ ନିୟମ ଭଙ୍ଗ କରିବା ଦ୍ୱାରା ଖେଳାଳିଙ୍କ ମ୍ୟାଚ୍‌ର ଫି’ର ୫୦ ପ୍ରତିଶତ କାଟ୍‌ କରାଯାଇପାରିବ ଓ ଏକରୁ ଦୁଇ ଡିମେରିଟ୍‌ ପଏଣ୍ଟ ପ୍ରଦାନ କରାଯାଏ। ଦୁଇ ବର୍ଷ ମଧ୍ୟରେ କୌଣସି ଖେଳାଳିଙ୍କ ଡିମେରିଟ୍‌ ପଏଣ୍ଟ ସଂଖ୍ୟା ୪ ହେଲେ ଖେଳାଳିଙ୍କୁ ଗୋଟିଏ ଟେଷ୍ଟ କିମ୍ବା ଦୁଇ ଦିନିକିଆ କିମ୍ବା ଦୁଇ ଟି୨୦ ମ୍ୟାଚ୍‌ରୁ ବାସନ୍ଦ ହେବାକୁ ପଡ଼େ। ଏଭଳି ସ୍ଥିତିରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଯଦି କୋହଲି ସେଭଳି କିଛି ଦୋହରାଇଲେ, ତାଙ୍କୁ ବାସନ୍ଦ ହେବାକୁ ପଡ଼ିବ। ଭାରତୀୟ ଦଳ ଶନିବାର ତା’ର ଅନ୍ତିମ ରାଉଣ୍ଡ ରବିନ ଲିଗ୍‌ ମ୍ୟାଚ୍‌ ଖେଳିବ। ଏହି ମ୍ୟାଚ୍‌ ଜିତି ଟିମ୍‌ ଇଣ୍ଡିଆ ପଏଣ୍ଟ ଟେବୁଲର ଶୀର୍ଷସ୍ଥାନ ଅଧିକାର କରିବାକୁ ଲକ୍ଷ୍ୟ ରଖିଛି।

Share