Advertisement

ବ୍ୟାପକ ଜଙ୍ଗଲ କଟା ଯୋଗୁ ପରିବେଶ ନଷ୍ଟ: କାନଝରୀ ନଦୀବନ୍ଧ ପାଇଁ ବିପଦ ଆଶଙ୍କା

କେନ୍ଦୁଝର, ୮।୧୨(ସ୍ବ.ପ୍ର.)-ସଦର ରେଞ୍ଜ ଅନ୍ତର୍ଗତ ଗୋପାଳପୁର ଗ୍ରାମ ନିକଟ ଜଙ୍ଗଲ ବ୍ୟାପକ ନଷ୍ଟ ଯୋଗୁ ପରିବେଶ କ୍ଷତିଗ୍ରସ୍ତ ହୋଇଛି। ଏବେ ଗୋପାଳପୁର ହାଟ ନିକଟ ଜଙ୍ଗଲରେ ବହୁ ସଂଖ୍ୟାରେ ଗଛ କଟାଚାଲିଥିଲେ ହେଁ ବନ ବିଭାଗର ନିଘା ନାହିଁ । ବହୁ ମୂଲ୍ୟବାନ ଗଛ କାଟି ଧରାଶାୟୀ ହୋଇଥିବାବେଳେ ଟ୍ରାକ୍ଟରରେ କଟା ଗଛ ଚାଲାଣ ହେଉଥିବାରୁ ପରିବେଶ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । ଏବେ ମଧ୍ୟ ବଡ଼ବଡ଼ ଗଛ ଉକ୍ତ ସ୍ଥାନରେ ପଡିରହିଛି । ତେବେ ଏନେଇ ସ୍ଥାନୀୟ ଅଞ୍ଚଳର ବନ ବିଭାଗ କର୍ମଚାରୀ କିପରି ଜାଣି ପାରୁନାହାନ୍ତି ଏବଂ ଧରପଗଡ଼ କରୁନାହାନ୍ତି ତାହାକୁ ନେଇ ସାଧାରଣରେ ସନ୍ଦେହ ଉପୁଜିଛି । ସ୍ଥାନୀୟ ଲୋକଙ୍କୁ ପ୍ରଲୋଭିତ କରି ଏଭଳି ଗଛ କଟା ଚାଲିଥିବାରୁ ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି । କାନଝରୀ ନଦୀ କୂଳରେ ଏଭଳି ଗଛ କଟା ଚାଲିଥିବାରୁ ଉକ୍ତ ସ୍ଥାନକୁ ଭୋଜିଭାତ କରିବାକୁ ଯାଉଥିବା ପର୍ଯ୍ୟଟକ ତଥା ଆଖପାଖ ଅଞ୍ଚଳର ପ୍ରକୃତି ପ୍ରେମୀ ଘୋର ଉଦ୍‌ବେଗ ବ୍ୟକ୍ତ କରିଛନ୍ତି। ଗଛ କଟାଯାଉଥିବାରୁ ଉକ୍ତ ଅଞ୍ଚଳ ପଦା ହୋଇଗଲାଣି। ଗଛ କଟିଗଲେ ମୃତ୍ତିକା କ୍ଷୟ ହେବ ଏବଂ ଏହା କାନଝରୀ ନଦୀ ତଥା ତଳ ମୁଣ୍ଡରେ କିଛି ଦୂରରେ ନିର୍ମାଣ ହୋଇଥିବା କାନଝରୀ ଜଳଭଣ୍ଡାର ପ୍ରଦୂଷିତ ହୋଇ ପୋତି ହୋଇଯିବା ଆଶଙ୍କା ଥିବାରୁ ପରିବେଶବିତ୍‌ ମାନେ ଚିନ୍ତା ପ୍ରକଟ କରିଛନ୍ତି। ଅନ୍ୟ କୌଣସି କାମରେ ଲଗାଇବାକୁ ଗଛ କାଟୁଥିବା ସ୍ଥାନୀୟ ଲୋକ ମତବ୍ୟକ୍ତ କରୁଛନ୍ତି । ଏଣୁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel