ଢେଙ୍କାନାଳ ଅଫିସ, ୩ା୨ : ସାଂସ୍କୃତିକ ଅନୁଷ୍ଠାନ ଶତରୂପା ପକ୍ଷରୁ ସ୍ଥାନୀୟ ଷ୍ଟାଡିୟମ୍ରେ ଦୁଇଦିନ ଧରି ଆୟୋଜିତ ହେଉଥିବା କାରୁବାକୀ ମହୋତ୍ସବ ରବିବାର ସନ୍ଧ୍ୟାରେ ଉଦ୍ଯାପିତ ହୋଇଯାଇଛି। ଏମ୍ପି ମହେଶ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ, କଳା ଏବଂ କଳାକାରଙ୍କୁ ନେଇ ଢେଙ୍କାନାଳ ସମୃଦ୍ଧ। ଏପରି ଉତ୍ସବ କଳାକାରଙ୍କୁ ଆଗକୁ ବଢ଼ିବାରେ ସହାୟକ ହେଉଛି। ପ୍ରତିଭାବାନ କଳାକାରଙ୍କୁ ଚିହ୍ନଟ କରି ଲୋକଲୋଚନକୁ ଆଣିବାର ପ୍ରକ୍ରିୟା ବ୍ୟାପକ କରିବା ପାଇଁ ଏମ୍ପି ପରାମର୍ଶ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ବିଚାରପତି ଭିକାରୀ ଚରଣ ରାଉତ, ଶିକ୍ଷାବିତ୍ ଦୀନେଶ ପଟ୍ଟନାୟକ, ଅଟଳ ବିହାରୀ ଦାସ, ମିଳିତବଜାର ପୂଜା କମିଟି ସଭାପତି ବିଶ୍ୱନାଥ ବେହେରା, କବି ବସନ୍ତ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ କଳାକାରମାନେ ସମାଜର ସଂହତି ଓ ଏକତାର ବାର୍ତ୍ତାବହ ବୋଲି ମତବ୍ୟକ୍ତ କରିଥିଲେ। ଉତ୍ସବରେ ଅନୁଷ୍ଠାନର ଅଧ୍ୟକ୍ଷ ବାଦଲ ବିହାରୀ ପଟ୍ଟନାୟକ ସଭାପତିତ୍ୱ କରିଥିବାବେଳେ ସମ୍ପାଦକ ତିମିରସୁ ପଟ୍ଟନାୟକ ମଞ୍ଚାସୀନ ଥିଲେ। ଏହି ଅବସରରେ ବିଶିଷ୍ଟ ନାଟ୍ୟକାର ଦିଲ୍ଲୀଶ୍ୱର ମହାରଣାଙ୍କୁ ‘କାରୁବାକୀ ନାଟ୍ୟ ସମ୍ମାନ’, ବେବି ଶତପଥୀଙ୍କୁ ସାହିତ୍ୟ ସମ୍ମାନ, ବଜରଙ୍ଗ କ୍ଲବକୁ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଶେଷରେ ଦଳଗତ ଓଡ଼ିଶୀ ନୃତ୍ୟ, ଗଣେଶ ବନ୍ଦନା ଏକଦନ୍ତମ୍ ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।