ବ୍ୟାପୁଛି ଝାଡ଼ାବାନ୍ତି :ଜଣେ ମୃତ, ୧୫ରୁ ଊର୍ଦ୍ଧ୍ୱ ଗୁରୁତର

ସଜନାଗଡ/ବାହାନଗା, ୫।୮(ଡି.ଏନ.ଏ.): ବାଲେଶ୍ୱର ଜିଲା ଔପଦା ବ୍ଲକ ବାଇଗଡ଼ିଆ ଗ୍ରାମରେ ଜଣଙ୍କ ଶୁଦ୍ଧିକ୍ରିୟା ଭୋଜି ଖାଇ ୧୫ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବାବେଳେ ଜଣକର ମୃତ୍ୟୁ ହୋଇଛି। ଏନେଇ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି। ସେମାନଙ୍କୁ ପ୍ରଥମେ ଖନ୍ତାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କ ମଧ୍ୟରେ ୧୦ଜଣଙ୍କୁ ବାଲେଶ୍ୱର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।
ଶୁକ୍ରବାର ଉକ୍ତ ଗ୍ରାମର ଦେବେନ୍ଦ୍ର ସିଂଙ୍କ ବାପା ଶ୍ୟାମ ସିଂଙ୍କର ଶୁଦ୍ଧିକ୍ରିୟା ଭୋଜି ଖାଇ ସାଗର ସିଂ(୧୩), ଗୌତମ ସିଂ(୪), ହରିମୋହନ ସିଂଙ୍କ ୪ ବର୍ଷର ଝିଅ କନ୍ୟା ରଶ୍ମିରେଖା(୪), ରଘୁନାଥ ସିଂଙ୍କ ସ୍ତ୍ରୀ ପୂଜା ସିଂ(୨୨), ଦେବେନ୍ଦ୍ର ସିଂଙ୍କ ସ୍ତ୍ରୀ ମାମା ସିଂ(୨୫), ସନିଆ ସିଂଙ୍କ ପୁଅ ରାମଚନ୍ଦ୍ର(୨୩), କୁନା ସିଂଙ୍କ କନ୍ୟା ସାବିତ୍ରୀ(୨୦), କଟିଆ ସିଂଙ୍କ ୪ ବର୍ଷର କନ୍ୟା ବିଷ୍ଣୁପ୍ରିୟା, ଘନସିଂର ପୁଅ ବିଜୁ (୧୩), ଶାନ୍ତି ସିଂ(୫୩), ବିଜୁ ସିଂଙ୍କ ୪ ବର୍ଷର ପୁଅ ସିଦ୍ଧାନ୍ତ, ମଦନ ସିଂ(୫୦), ଭେଙ୍ଗ ସିଂ(୬୦)ଙ୍କ ସମତେ ୧୫ଜଣ ଯୁବକ ମହିଳା, ପୁରୁଷ ଓ ନାବାଳକ, ନାବାଳିକା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ବାଲେଶ୍ୱର ଡାକ୍ତରଖାନାରେ ଚିକିସତ୍ାଧିନ ଅବସ୍ଥାରେ ଘାସିଆ ସିଂଙ୍କ ପୁଅ କଟି ସିଂ(୫୧)ଙ୍କର ମୃତ୍ୟୁ ହୋଇଛି। ଖବର ପାଇ ରବିବାର ପୂର୍ବାହ୍ନରେ ଏକ ମେଡ଼ିକାଲ ଟିମ୍‌ ସନ୍ତରାଗଡ଼ିଆ ସୁପରଭାଇଜର ବରେନ୍ଦ୍ର ପରିଡ଼ା, ଚଷାଖଣ୍ଡ ଏଏନ୍‌ଏମ୍‌ ଗୀତାଞ୍ଜଳି ଜେନା, ସନ୍ତରାଗଡ଼ିଆ ମେଲ ୱାର୍କର ଗୋଲକ ଦାସ, ଆଶା କର୍ମୀ ସାହି ମାଝି, ଈଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିଇଇ ପୂର୍ଣ୍ଣଚନ୍ଦ୍ର ଦାସ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିବା ସହିତ ଝାଡ଼ାବାନ୍ତି କାରଣ ଅନୁଧ୍ୟାନ କରିଛନ୍ତି। ଅପରପକ୍ଷରେ ଏହା ଯେପରି ଗାଁ ସାରା ନ ବ୍ୟାପେ ସେଥିପାଇଁ ଗ୍ରାମବାସୀଙ୍କୁ ସଚେତନ କରାଇବା ସହିତ ଗାଁ ଦାଣ୍ଡକୁ ପରିଷ୍କାର କରିବା ସହ ପ୍ରତ୍ୟେକ ଘରକୁ ଔଷଧ ଓ ବ୍ଲିଚିଂ ପାଉଡ଼ର ବଣ୍ଟନ କରିଥିଲେ।