ବ୍ୟାସକବିଙ୍କ ଶ୍ରାଦ୍ଧବାର୍ଷିକୀରେ ବିଶ୍ୱଶାନ୍ତି ପାଇଁ ପ୍ରାର୍ଥନା

ବାଲେଶ୍ୱର ଅଫିସ,୧୬।୬- ଓଡ଼ିଆ ଭାଷା ସାହିତ୍ୟର ତ୍ରାଣକର୍ତ୍ତା, ଭାଷା ଆନ୍ଦୋଳନର ସେନାପତି, ସଂକ୍ରାନ୍ତି ପୁରୁଷ, ବ୍ୟାସକବି ଫକୀରମୋହନ ସେନାପତିଙ୍କ ୧୦୨ତମ ଶ୍ରାଦ୍ଧବାର୍ଷିକୀରେ ବାଲେଶ୍ୱର ସହର ଶାନ୍ତିକାନନଠାରେ ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ସୋମବାର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପୂର୍ବାହ୍ନ ୭ଟା ସମୟରେ ସମାଧିପୀଠ ଓ ଛତୁଆ ପୋଖରୀଠାରେ ତିଳତର୍ପଣ ସହ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ପରେ ଶାନ୍ତିକାନନଠାରେ ଫକୀରମୋହନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ସାମାଜିକ ଦୂରତା ରକ୍ଷା କରି ସୀମିତ କାର୍ଯ୍ୟକ୍ରମ କରାଯାଇଥିଲା। ସମ୍ପାଦକ ଡ. କୁମାର ଗୋପାଲଙ୍କ ସହ ସଭାପତି ଡ. ଶିରିଶ ଚନ୍ଦ୍ର ଜେନା, ପୂର୍ବତନ ସଭାପତି ହରିଶ୍ଚନ୍ଦ୍ର ବେହେରା ଓ ଲକ୍ଷ୍ମୀକାନ୍ତ ତ୍ରିପାଠୀ, ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ, ପ୍ରଦୀପ ଚାଟାର୍ଜୀ, ତପନ ରାୟ, କଲ୍ୟାଣୀ ନନ୍ଦ, ନିବାରଣ ଜେନା, ଦୀପକ ବୋଷ, ଡା. ଚୌଧୁରୀ ସତ୍ୟବ୍ରତ ନନ୍ଦ, ପୂର୍ବତନ ବ୍ରିଟ୍‌ ଅଧ୍ୟକ୍ଷ ଗୌରୀ ରାଉତ, କାଳୀପଦ ପଣ୍ଡା, ଅଶୋକ ସେନାପତି, ଡ. ସାରଙ୍ଗଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ସମଗ୍ର ବିଶ୍ୱ କରୋନା ମହାମାରୀ ପାଇଁ ଲଢୁଥିବା ବେଳେ ଶାନ୍ତିକାନନ ପରିସରରେ ପରିଷଦ ପକ୍ଷରୁ ସମଗ୍ର ବିଶ୍ୱ ଶାନ୍ତି ପାଇଁ ପ୍ରାର୍ଥନା କରାଯାଇଥିଲା।
ଅନ୍ୟପକ୍ଷରେ ଜିଲା ବିଜୁ ଯୁବ ଜନତା ପକ୍ଷରୁ ଫକୀରମୋହନ ଗୋଲେଇସ୍ଥିତ ଫକୀରମୋହନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଛତୁଆପୋଖରୀଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଜିଲା ବିଜୁ ଯୁବ ଜନତା ସଭାପତି ଶୁଭେନ୍ଦୁ ମଙ୍ଗରାଜ, ନଗର ସଭାପତି ସଞ୍ଜୀବ ଦାସ, ଉପସଭାପତି ଏସ୍‌କେ ଅନ୍‌ସର, ଯୁବନେତା ମନୋଜ ଆଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Share