ବ୍ୟାୟାମରେ ତ୍ରୁଟି ଜଣାଇଦେବ ଯନ୍ତ୍ର

ଚଣ୍ଡିଗଡ଼: ବ୍ୟାୟାମ କରିବାର ଯଦି ଠିକ୍‌ ପଦ୍ଧତି ଜଣାନାହିଁ ତେବେ ଆଦୌ ଚିନ୍ତା କରନ୍ତୁନାହିଁ। ଚଣ୍ଡିଗଡସ୍ଥିତ କେନ୍ଦ୍ରୀୟ ବୈଜ୍ଞାନିକ ଉପକରଣ ସଂଗଠନ ବା ସେଣ୍ଟ୍ରାଲ ସାଇଣ୍ଟିଫିକ ଇନ୍‌ଷ୍ଟ୍ରୁମେଣ୍ଟ ଅର୍ଗାନାଇଜେଶନ(ସିଏସ୍‌ଆଇଓ)ଏଭଳି ଯନ୍ତ୍ର ନିର୍ମାଣ କରିଛି ଯାହା ବ୍ୟାୟାମରେ କିଛି ତ୍ରୁଟି ଦେଖିବା ମାତ୍ରେ ଜଣାଇଦେଉଛି। ଏହି ଯନ୍ତ୍ରଟି ବ୍ୟାୟାମ କରିବାବେଳେ କୌଣସି ତ୍ରୁଟି ରହିଥିଲେ ଆଲାର୍ମ ବଜାଇ ସତର୍କ ବି କରିଦେଉଛି। କେବଳ ଏତିକି ନୁହେଁ କେମିତି ଠିକ୍‌ ଭାବେ ବ୍ୟାୟାମ କରିବେ ତାହା ମଧ୍ୟ ସୂଚାଇଦେଉଛି। ସିଏସ୍‌ଆଇଓର ଜୈବ ଚିକିତ୍ସକୀୟ ଉପକରଣ ବିଭାଗର ବୈଜ୍ଞାନିକମାନେ ରିୟଲିଟି ବେଷ୍ଟ ରିହାବିଲେଶନ ସିଦ୍ଧାନ୍ତ ଅନୁସାରେ ନିର୍ମାଣ କରିଛନ୍ତି। ଏଥିରେ ତିନୋଟି ଭିନ୍ନ ଭିନ୍ନ ବିଶେଷତା ବା ବର୍ଗ ରହିଛି। ଏଥିରେ ଥିବା ମୋଟର ଫଙ୍କ୍‌ସନ ସାହାଯ୍ୟରେ ଚାଲିବା, ଉଠିବା, ବସିବାରେ କିଛି ସମସ୍ୟା ଦେଖାଗଲେ ତାହା ସମଧାନ କରିଦେଉଛି। ଏହି ସମ୍ବନ୍ଧୀୟ ଇଂଜ୍ୟୁରି ଥିବା ବ୍ୟକ୍ତିଙ୍କୁ ଏହା ସାହାଯ୍ୟ କରିବ। ଦ୍ୱିତୀୟରେ ଏହା ନ୍ୟୁରୋ ଏବଂ ମାଂସପେଶୀ ମଧ୍ୟରେ ସନ୍ତୁଳନ ରକ୍ଷାକରେ। ତୃତୀୟରେ ଏହା ମସ୍ତିଷ୍କ ସମ୍ବନ୍ଧୀୟ ସମସ୍ୟାରେ ରହିଥିବା ବ୍ୟକ୍ତିଙ୍କୁ ବି ବ୍ୟାୟାମ କରିବାରେ ସାହାଯ୍ୟ କରିପାରିବ। ଏହି ତିନୋଟି କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ଏଥିରେ ତିନୋଟି ଅଲଗା ଅଲଗା ସେନ୍‌ସର ଲଗାଯାଇଛି। ବୈଜ୍ଞାନିକମାନେ ଏହା ପାଇଁ ସ୍ବତନ୍ତ୍ର ଭାବେ ସଫ୍ଟଓ୍ବେର ମଧ୍ୟ ପ୍ରସ୍ତୁତ କରିଛନ୍ତି। ଏହାକୁ କମ୍ପ୍ୟୁଟର କିମ୍ବା ମୋବାଇଲରେ ଉପଯୋଗ କରିହେବ। ଯନ୍ତ୍ରଟିକୁ ଏହି ସଫ୍ଟଓ୍ବେରରେ ସଂଯୋଗ କରିହେବ । ତିନୋଟି ବର୍ଗ ପାଇଁ ତିଆରି କରାଯାଇଥିବା ସେନ୍‌ସରକୁ ପୀଡ଼ିତଙ୍କ ପ୍ରଭାବିତ ଅଙ୍ଗରେ ଲଗାଇଲେ ବ୍ୟାୟାମ କରିବା ସମୟରେ ତ୍ରୁଟିକୁ ତାହା ଜଣାଇଦେବ। ବ୍ୟାୟାମରେ ରହିଥିବା ଭୁଲ୍‌କୁ କମ୍ପ୍ୟୁଟର କିମ୍ବା ମୋବାଇଲରେ ବି ଦେଖିହେବ। କେମିତି ବ୍ୟାୟାମ କରିବେ ଓ କେତେ ସମୟ କରିବେ ତାହା ମଧ୍ୟ ଜଣାଇଦେବ।