ବ୍ୟାୟାମ କରିବା ପୂର୍ବରୁ…

ବ୍ୟାୟାମ କରିବା ପୂର୍ବରୁ ଆମକୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ପ୍ରଥମେ ଏ ନେଇ ଜଣେ ବ୍ୟାୟାମ ଏକ୍ସପର୍ଟଙ୍କ ସହ ବିଷଦଭାବରେ ଆଲୋଚନା କରନ୍ତୁ। ତା’ପୂର୍ବରୁ ଅଭିଜ୍ଞ ଡାକ୍ତରଙ୍କ ନିକଟରେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇ ନେବାକୁ ଭୁଲନ୍ତୁ ନାହିଁ। କେଉଁ ପ୍ରକାର ବ୍ୟାୟାମ କଲେ ତାହାର ସୁପ୍ରଭାବ ଶରୀର ଉପରେ ପଡିବ ତାହା ଜାଣି ନିଅନ୍ତୁ। ଯଦି ସକାଳେ କିଛି ସମୟ ବ୍ୟାୟାମ କରିବେ ତେବେ ତାହାର ସମୟ ନିର୍ଘଣ୍ଟ ସ୍ଥିର କରନ୍ତୁ। ପ୍ରତିଦିନ ସେହି ସମୟରେ ହିଁ ବ୍ୟାୟାମ ଆରମ୍ଭ କରିବା ହିଁ ଭଲ। ସବୁବେଳେ ନିଜ ସାମର୍ଥ୍ୟ ଅନୁସାରେ ବ୍ୟାୟାମ କରନ୍ତୁ। ଯଦି ବ୍ୟାୟାମ କରିବା ସମୟରେ ହାଲିଆ ଲାଗୁଛି ତେବେ ବିଳମ୍ବ ନ କରି କିଛି ସମୟ ବିଶ୍ରାମ କରନ୍ତୁ। ଅନ୍ୟପକ୍ଷରେ ବ୍ୟାୟାମ କରିବା ସମୟରେ କେତେ ସମୟ ଚାଲିବେ, କେତେ ସମୟ ଜଗିଂ କରିବେ ତାହା ମଧ୍ୟ ସ୍ଥିର କରନ୍ତୁ। ବ୍ୟାୟାମ କରିସାରିବା ସାଙ୍ଗେ ସାଙ୍ଗେ ପାଣି ପିଅନ୍ତୁ ନାହିଁ। ଏହାର କିଛି ସମୟ ପରେ ପାଣି ପିଅନ୍ତୁ। ସବୁଠାରୁ ଖାସ୍‌ କଥା ହେଲା, ବ୍ୟାୟାମ କରିବା ପୂର୍ବରୁ ନିଜର ନିତ୍ୟକର୍ମ ଶେଷ କରିବାକୁ ଭୁଲନ୍ତୁ ନାହିଁ। ଏହାଦ୍ୱାରା ବ୍ୟାୟାମ କରିବାକୁ ଆରାମ ଲାଗିଥାଏ। ଆଉଏକ କଥା-ଯଦି ଅସୁସ୍ଥ ଅନୁଭବ କରୁଛନ୍ତି ତେବେ ବ୍ୟାୟାମରୁ ବିରତ ରୁହନ୍ତୁ।