ବ୍ୟାୟାମ ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ

ଭଞ୍ଜନଗର,୭।୧୦(ଡି.ଏନ.ଏ.)-ମେକ୍ସିକୋର ମଣ୍ଟେରେ ଗତ ୨୬ ତାରିଖରେ ମେଦ ବହୁଳତା ଉପରେ ଲଣ୍ଡନ ବିଶ୍ୱ ମେଦବହୁଳତା ମହାସଂଘ ଏବଂ ମେକ୍ସିକୋ ମେଦବହୁଳତା ସମାଜ ମିଳିତ ଆନୁକୂଲ୍ୟରେ ସ୍କୋପ ସମ୍ମିଳନୀ ହୋଇଥିଲା। ଏଥିରେ ବିଶ୍ୱର ୨୦୦ ଡାକ୍ତର ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରେ ଭାରତରୁ ଜଣେମାତ୍ର ଏଣ୍ଡୋକ୍‌ାଇନୋଜିଲିଷ୍ଟ ବ୍ରହ୍ମପୁର ଡାଇବେଟିସ୍‌ ଆଣ୍ଡ ଏଣ୍ଡୋକେୟାର କ୍ଲିନିକର ଡା. ସୁନୀଲ କୁମାର କୋଟା ଯୋଗଦେଇ ନିଜ ସନ୍ଦର୍ଭ ପାଠ କରିଥିଲେ। ମେକ୍ସିକୋରୁ ଡ଼ା.କୋଟା ଫେରିବା ପରେ ରବିବାର ଭଞ୍ଜନଗର ଘୁମୁସର ହସ୍ପିଟାଲରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ସେ କହିଥିଲେ, ମେଦବହୁଳତାରୁ ଅନେକ ରୋଗ ସୃଷ୍ଟି ହେଉଛି । ତେଣୁ ମେଦ ବହୁଳତାରୁ ବର୍ତ୍ତିବା ପାଇଁ ହେଲେ ସପ୍ତାହକୁ ୫ ଦିନ ୩୦ ମିନଟ ଲେଖାଏ ବ୍ୟାୟାମ କରିବା ଆବଶ୍ୟକ। ବ୍ୟାୟାମ କଲେ ଅନେକ ରୋଗରୁ ମୁକ୍ତି ମିଳିପାରିବ। ଜଙ୍କ୍‌ ଫୁଡ଼, ଅଧିକ ମସଲାଯୁକ୍ତ ଖାଦ୍ୟଠାରୁ ଦୂରେଇ ରହିବାକୁ ହେବ । ମେଦବହୁଳତାରୁ ଡାଇବେଟିସ୍‌, ଉଚ୍ଚ ରକ୍ତଚାପ, ଥାଇରଏଡ଼ ଆଦି ରୋଗ ସୃଷ୍ଟି ହୋଇଥାଏ। ତେଣୁ ଚିନ୍ତାମୁକ୍ତ ରହିବା ସହ ମେଦବହୁଳତାଠାରୁ ଦୂରେଇ ରହିଲେ ମନୁଷ୍ୟ ଅନେକ ରୋଗରୁ ମୁକ୍ତି ପାଇପାରିବ। ଏଥିପ୍ରତି ସମସ୍ତେ ସଚେତନ ହେବାକୁ ଡ଼ା.କୋଟା ଉପସ୍ଥିତ ରୋଗୀଙ୍କୁ କହିଥିଲେ । ଏହି ସମୟରେ ହସ୍ପିଟାଲ କର୍ମକର୍ତ୍ତା ବିପ୍ରଚରଣ ପ୍ରଧାନ, ଆଇନଜୀବୀ ଦିବାକର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।