Categories: ଫୁରସତ

ତମାଖୁ ଅଭ୍ୟାସ ବନ୍ଦ ନ କଲେ ଚାକିରି ଛାଡ଼: କମ୍ପାନୀ ପକ୍ଷରୁ କର୍ମଚାରୀଙ୍କୁ ତାଗିଦ

ଗାନ୍ଧିନଗର,୧୩।୨: କର୍ମଚାରୀଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଗୁଜରାଟର ଏକ କମ୍ପାନୀ ପକ୍ଷରୁ ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି। କମ୍ପାନୀ ପକ୍ଷରୁ ସମସ୍ତ କର୍ମଚାରୀଙ୍କୁ ତମାଖୁ ଅଭ୍ୟାସ ବନ୍ଦ ନ କଲେ ଚାକିରି ଛାଡ଼ିବାକୁ ତାଗିଦ କରାଯାଇଛି। ରାଜକୋଟରେ ଥିବା ପର୍ବ ମେଟାଲ ଗ୍ରୁପ୍‌ ପକ୍ଷରୁ କର୍ମଚାରୀଙ୍କ ପାଇଁ ଏଭଳି ନିର୍ଦ୍ଦେଶ ଜାରି ହୋଇଛି। ଗତ ବର୍ଷ ଜୁନ୍‌ଠାରୁ କମ୍ପାନୀ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। କମ୍ପାନୀର ୧୫୦ କାରିଗର ଏବଂ ଅନ୍ୟ କର୍ମଚାରୀଙ୍କର ବିଡ଼ି,ସିଗାରେଟ୍‌, ଗୁଟଖା, ତମାଖୁ ଆଦି ଅଭ୍ୟାସ ବନ୍ଦ କରିବା ଲାଗି କମ୍ପାନୀ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ଏହାପରେ କାରଖାନା ପରିସରରେ ଏସବୁର ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା। ଟାଟା ଗ୍ରୁପ୍‌ ପକ୍ଷରୁ କର୍ମଚାରୀଙ୍କ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦିଆଯାଇଥାଏ। ଏହା ପର୍ବ ମେଟାଲ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ପ୍ରେରଣା ଯୋଗାଇ ଥିଲା ବୋଲି ମ୍ୟାନେଜିଂ ପାର୍ଟନର ସହଦେବ ସିଂ ଝାଲା କହିଛନ୍ତି। ତେଣୁ ପ୍ରତିଦିନ କର୍ମଚାରୀଙ୍କର ଏକ ବ୍ୟାୟାମ ଏବଂ ଯୋଗ କ୍ଲାସ୍‌ ହୋଇଥାଏ। ଏହା ସେମାନଙ୍କୁ ମାନସିକସ୍ତରରେ ସୁସ୍ଥ ରଖିବାକୁ ସକ୍ଷମ ହୋଇଥାଏ ବୋଲି ସେ କହିଛନ୍ତି।

Share