ବ୍ୟାୟାମ ପୂର୍ବରୁ ଓ ପରେ

ବ୍ୟାୟାମ କରିବା ପୂର୍ବରୁ ଆମେ ଫିଟ୍‌ ରହିବା ନିହାତି ଜରୁରୀ। ଯଦି ଅସୁସ୍ଥ ରହିବା ସତ୍ତ୍ୱେ ଆମେ ବ୍ୟାୟାମ କରୁ ତେବେ ଏହାର ଖରାପ ପ୍ରଭାବ ଶରୀର ଉପରେ ପଡ଼ିଥାଏ। ତେଣୁ ଏହାପୂର୍ବରୁ ନିଜକୁ ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ଫିଟ୍‌ ରଖନ୍ତୁ। ପ୍ରତିଦିନ କେତେବେଳେ ଏବଂ କେତେ ସମୟ ବ୍ୟାୟାମ କରିବେ ସେ ନେଇ ସମୟ ନିର୍ଘଣ୍ଟ ସ୍ଥିର କରନ୍ତୁ। ଯଦି ବ୍ୟାୟାମ ସମ୍ପର୍କିତ ଆପଣଙ୍କର ସବିଶେଷ ଜ୍ଞାନ ନାହିଁ ତେବେ ଜଣେ ବ୍ୟାୟାମ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ। ବ୍ୟାୟାମ କରିବା ପୂର୍ବରୁ ନିଜର ନିତ୍ୟକର୍ମ ଶେଷ କରନ୍ତୁ। ଏହାପୂର୍ବରୁ ଅଳ୍ପ ପାଣି ପିଇପାରନ୍ତି। ହେଲେ କିଛି ଖାଆନ୍ତୁ ନାହିଁ। ଏପରି ବ୍ୟାୟାମ କରନ୍ତୁ ନାହିଁ, ଯାହାର କୁପ୍ରଭାବ ଶରୀର ଉପରେ ପଡ଼ିବ। ବ୍ୟାୟାମ କରିବା ସମୟରେ ଯଦି ହାଲିଆ ଲାଗିଲା ତେବେ କିଛି ସମୟ ବିଶ୍ରାମ ନିଅନ୍ତୁ। ସକାଳୁ ଅତିକମ୍‌ରେ ଅଧଘଣ୍ଟାଏ ଚାଲନ୍ତୁ। ସବୁଠାରୁ ଖାସ୍‌ କଥା ହେଲା, ପ୍ରଦୂଷଣମୁକ୍ତ ଅଞ୍ଚଳରେ ହିଁ ବ୍ୟାୟାମ କରନ୍ତୁ। ବ୍ୟାୟାମ ଶେଷ କରିବାର କିଛି ସମୟ ପରେ ଆପଣ ଜୁସ୍‌ କିମ୍ବା ପାଣି ପିଇପାରନ୍ତି। ଯଦି ପାଗ ଖରାପ ଅଛି ତେବେ ଘରେ ହାଲକା ଫୁଲକା ବ୍ୟାୟାମ କରନ୍ତୁ।