ବୟସ୍କଙ୍କ ଯତ୍ନ ନେବ ରୋବୋ

ଆଜିକାଲି ବିଭିନ୍ନ କ୍ଷେତ୍ରରେ ରୋବୋର ବ୍ୟବହାର କରାଯାଉଛି। ଏପରି କି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହାକୁ ନିୟୋଜିତ କରାଯାଇ ଅପରେସନ ପରି କାମକୁ ମଧ୍ୟ ସମ୍ପାଦନ କରାଯାଇପାରୁଛି। ତେବେ ନିକଟରେ ନ୍ୟୁଜିଲାଣ୍ଡର ବିଶେଷଜ୍ଞମାନେ ଏପରି ଏକ ରୋବୋ ପ୍ରସ୍ତୁତ କରିଛନ୍ତି, ଯାହା ବିଶେଷଭାବରେ ବୟସ୍କ ବ୍ୟକ୍ତିଙ୍କ ପାଇଁ ଉପକାରୀ ସାବ୍ୟସ୍ତ ହୋଇପାରିବ। ଏହାକୁ ‘ଏଲଡର କେୟାର ରୋବୋ’ ନାମରେ ନାମିତ କରାଯାଇଛି। ଉକ୍ତ ରୋବୋ ବୟସ୍କ ବ୍ୟକ୍ତିଙ୍କ ନିକଟରେ ରହି ସେମାନଙ୍କର ସ୍ବାସ୍ଥ୍ୟ ସମସ୍ୟା ସମ୍ପର୍କରେ ସଚେତନ କରିବା ସହ ଆବଶ୍ୟକ ସମୟରେ ମେଡିସିନ୍‌ ଦେଇପାରିବ। ତା’ସହ ସେମାନଙ୍କୁ ଆବଶ୍ୟକ ସାମଗ୍ରୀ ମଧ୍ୟ ଯୋଗାଇପାରିବ। ଖାସ୍‌ କଥା ହେଲା, ଏହା ସାହାଯ୍ୟରେ ବୟସ୍କ ବ୍ୟକ୍ତିମାନେ ସେମାନଙ୍କର ମନ ପସନ୍ଦର ଗୀତ ମଧ୍ୟ ଶୁଣିପାରିବେ। ତା’ ସହ ସେମାନଙ୍କୁ ବ୍ୟାୟାମରେ କେତେକାଂଶରେ ସାହାଯ୍ୟ କରିପାରିବ ବୋଲି ପ୍ରସ୍ତୁତକାରୀ ସଂସ୍ଥା ପକ୍ଷରୁ ପ୍ରକାଶିତ ରିପୋର୍ଟରେ ସୂଚନା ଦିଆଯାଇଛି।