Categories: ଖେଳ

ବୟସ ଜାଲିଆତି କରିଥିଲେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଚାମ୍ପିୟନ ଦଳର ସଦସ୍ୟ

ନୂଆଦିଲ୍ଲୀ,୩୧।୧୨- ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳର ଜଣେ ସଦସ୍ୟଙ୍କୁ ବୟସ ଜାଲିଆତି କାରଣରୁ ବାସନ୍ଦ କରାଯାଇଛି। ମନଜୋତ କାଲରାଙ୍କୁ ଦିଲ୍ଲୀ ଓ ଜିଲା କ୍ରିକେଟ ଆସୋସିଏଶନ (ଡିଡିସିଏ) ୨ ବର୍ଷ ପାଇଁ ବିଭିନ୍ନ ବୟସ ବର୍ଗର ଟୁର୍ନାମେଣ୍ଟରୁ ବାସନ୍ଦ କରିଛି। ଗତବର୍ଷ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ପୂର୍ବରୁ ତାଙ୍କ ଉପରେ ଡିଡିସିଏର ନଜର ଥିଲା। ଯଦିଓ ତାଙ୍କୁ ଟୁର୍ନାମେଣ୍ଟରେ ଖେଳିବାକୁ ଅନୁମତି ମିଳିଥିଲା, କିନ୍ତୁ ତାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ମିଥ୍ୟା ସାବ୍ୟସ୍ତ କରିପାରି ନ ଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ୍‌ ଫାଇନାଲରେ ଅପରାଜିତ ଶତକ ହାସଲ କରି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପାଇବା ପରେ ରାତାରାତି ସେନସେଶନ ପାଲଟି ଯାଇଥିଲେ। ଏଭଳି ପ୍ରଦର୍ଶନ ବଳରେ ଆଇପିଏଲ ଚୁକ୍ତି ହାସଲ କରିଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ଦୁଇ ସିଜନ ଧରି ରହିବା ପରେ ମଧ୍ୟ ତାଙ୍କୁ ପଦାର୍ପଣ ସୁଯୋଗ ମିଳିନାହିଁ। ଏହିବର୍ଷ ତାଙ୍କୁ ଫ୍ରାଞ୍ଚାଇଜ ବିଦା କରିବା ପରେ ଅକ୍‌ଶନରେ ଅନ୍‌ସୋଲ୍ଡ ରହିଥିଲେ। ଘରୋଇ ଦିଲ୍ଲୀ ଦଳ ପାଇଁ ମଧ୍ୟ ନିୟମିତ ପ୍ରଦର୍ଶନ କରିବାରେ ସେ ବିଫଳ ହୋଇଥିଲେ। ବର୍ତ୍ତମାନ ବାସନ୍ଦ ହେବା କାରଣରୁ ସେ ସିନିୟର ସ୍ତରରେ ଖେଳିପାରିବେ ନାହିଁ। କିନ୍ତୁ ଆଇପିଏଲ ଭଳି ଫ୍ରାଞ୍ଚାଇଜ କ୍ରିକେଟରେ ଖେଳିପାରିବେ। ଆଇପିଏଲ ଫ୍ରାଞ୍ଚାଇଜ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)ରେ ଖେଳୁଥିବା ଦୁଇ ଯୁବ ଖେଳାଳିଙ୍କ ଉପରେ ମଧ୍ୟ ବାସନ୍ଦାଦେଶର ଖଣ୍ଡା ଝୁଲୁଛି। ଡିଡିସିଏ ଲୋକପାଳ କିଛି ଖେଳାଳିଙ୍କ ବୟସ ଉପରେ ସନ୍ଦେହ ପ୍ରକଟ କରିଛନ୍ତି। ଏମାନଙ୍କ ମଧ୍ୟରେ କେକେଆର ଖେଳାଳି ଶିବମ ମାଭି ଓ ନୀତିଶ ରାଣା ରହିଛନ୍ତି। ଦୁହିଁଙ୍କ ବୟସ ଜାଲିଆତି ମାମଲାକୁ ଡିଡିସିଏ ବିସିସିଆଇ ହସ୍ତାନ୍ତର କରିଛି।

Share