Categories: ଖେଳ

ବୟସ ଜାଲିଆତି: ଫସିବେ ୩ ଖେଳାଳି; ବିସିସିଆଇ, ସିବିଆଇରେ ଅଭିଯୋଗ

କଟକ ଅଫିସ, ୨୭ା୧୨- ରାଜ୍ୟର ତିନିଜଣ କ୍ରିକେଟ ଖେଳାଳି ବୟସ ଜାଲିଆତି କରିଛନ୍ତି ବୋଲି ଅଭିଯୋଗ ହୋଇଛି। ଏ ନେଇ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଙ୍ଗଠନ ପକ୍ଷରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଓ ସିବିଆଇ ନିକଟରେ ଅଭିଯୋଗ ପତ୍ର ଦାଖଲ କରାଯାଇଛି। ଏଥିରେ ଜଣେ ୨୩ ବର୍ଷରୁ କମ୍‌ ଓ ୨ଜଣ ୧୯ ବର୍ଷରୁ କମ୍‌ ବୟସ ବର୍ଗର ଖେଳାଳି ଅଛନ୍ତି ବୋଲି ସଙ୍ଗଠନ ଆବାହକ ଆଇନଜୀବୀ ସୁବ୍ରତ କୁମାର ନନ୍ଦ ସୂଚନା ଦେଇଛନ୍ତି।
ପୁଣିଥରେ ବୟସ ଜାଲିଆତିରେ ଫସିବାରେ ଲାଗିଛନ୍ତି ରାଜ୍ୟର ପ୍ରତିଭାବାନ୍‌ ଖେଳାଳି। ଗତ ୫ ତାରିଖରେ ବିସିସିଆଇ ରାଜ୍ୟର ୨ଜଣ ୨୩ ବର୍ଷରୁ କମ୍‌ ବୟସ ବର୍ଗର ଖେଳାଳିଙ୍କୁ ସ୍କାନରରେ ରଖିଥିଲା। କଟକ ମହାନଗର ନିଗମ(ସିଏମ୍‌ସି)ରେ ଏହି ଦୁଇ ଖେଳାଳିଙ୍କ ଜନ୍ମ ପ୍ରମାଣପତ୍ର ଯାଞ୍ଚ କରାଯିବା ପରେ ଏମାନେ ଜାଲିଆତି କରିଥିବା ଜଣାପଡ଼ିଥିଲା। ଫଳସ୍ବରୂପ ଉକ୍ତ ଦୁଇ ଜଣଙ୍କୁ ୨ବର୍ଷ ଲେଖାଏ ବାସନ୍ଦ କରାଯାଇଛି। ଏବେ ପୁଣି ଅନ୍ୟ ୩ଜଣ ଖେଳାଳି ବୟସ ଜାଲିଆତି କରିଛନ୍ତି ବୋଲି ଅଭିଯୋଗ ହୋଇଛି। ୨୩ ବର୍ଷରୁ କମ୍‌ ବୟସ ବର୍ଗରେ ଜାଲିଆତି କରିଥିବା ଖେଳାଳି ଜଣଙ୍କ ହେଲେ ରାଜ୍ୟ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଜଣେ ଅଲ୍‌ରାଉଣ୍ଡର। ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ନିକଟରେ ସେ ମିଥ୍ୟା ଜନ୍ମ ପ୍ରମାଣପତ୍ର ଦାଖଲ କରିଛନ୍ତି ବୋଲି ଅଭିଯୋଗ ହୋଇଛି । ଓସିଏରେ ଦାଖଲ ହୋଇଥିବା ପ୍ରମାଣପତ୍ରରେ ଜନ୍ମ ତାରିଖ ହେଉଛି ୧୯୯୮ ଡିସେମ୍ବର ୨। ହେଲେ ୧୯୯୭ ମସିହା ଜୁଲାଇ ୨୪ ତାରିଖରେ ଏହି ଖେଳାଳି ଜଣଙ୍କ କଟକ ଏସ୍‌ସିବି ମେଡିକାଲରେ ଜନ୍ମଲାଭ କରିଥିଲେ ବୋଲି ସିଏମ୍‌ସିର ଦସ୍ତାବିଜରେ ରହିଛି। ସିଏମ୍‌ସିର ଜନ୍ମ ପ୍ରମାଣପତ୍ର ତାଲିକାର ୧୯୯୭ ମସିହା ୭୨୧୧ ରେଜିଷ୍ଟ୍ରେଶନ ନମ୍ବରରେ ଖେଳାଳିଙ୍କ ରିପୋର୍ଟ ରଖାଯାଇଛି। ଖେଳାଳିଙ୍କ ଘର ବାଲେଶ୍ୱର ଜିଲାରେ। ବୟସ ଜାଲିଆତି କରିଥିବା ଅନ୍ୟ ଦୁଇ ୧୯ ବର୍ଷରୁ କମ୍‌ ଖେଳାଳିଙ୍କ ନାମରେ ମଧ୍ୟ ସଙ୍ଗଠନ ପକ୍ଷରୁ ସମାନ ଅଭିଯୋଗ ରହିଛି। ସଙ୍ଗଠନ ଆବାହକ ନନ୍ଦଙ୍କ ଅଭିଯୋଗ ଅନୁଯାୟୀ, ରିପୋର୍ଟରେ ସତ୍ୟାସତ୍ୟ ରହିଛି। ବିସିସିଆଇ ଓ ସିବିଆଇ ଏ ଦିଗରେ ଧ୍ୟାନ ଦେବାକୁ ଆମେ ନିବେଦନ କରୁଛୁ।

Share