Categories: ବାଣିଜ୍ୟ

ବୟୋଜ୍ୟେଷ୍ଠ, ଦିବ୍ୟାଙ୍ଗଙ୍କୁ ୩ ମାସର ଅଗ୍ରୀମ ପେନଶନ

ନୂଆଦିଲ୍ଲୀ୨୮। ୩: ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଏବଂ ବିଧବାଙ୍କ ଲାଗି ସରକାର ୩ ମାସର ଅଗ୍ରୀମ ପେନସନ ପ୍ରଦାନ କରିବେ। ଏହା ଦ୍ୱାରା ପ୍ରାୟ ୩ କୋଟି ହିତାଧିକାରୀ ଉପକୃତ ହେବେ। କରୋନା ଭାଇରସ ଲାଗି ଏବେ ସାରା ଦେଶରେ ଲକ୍‌ଡାଉନ ଘୋଷଣା ହୋଇଥିବା ବେଳେ ଏପ୍ରିଲ ପହିଲାରେ ଏହା ପ୍ରଦାନ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଜାତୀୟ ସାମାଜିକ ନିରାପତ୍ତା କାର୍ଯ୍ୟକ୍ରମ (ଏନ୍‌ଏସ୍‌ଏପି) ଅଧୀନରେ ସରକାର ଗରିବ ଲୋକ, ବିଧବା ଏବଂ ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷଙ୍କୁ ପେନସନ ପ୍ରଦାନ କରୁଛନ୍ତି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଅଧୀନ ଏହି ଯୋଜନାରେ ପେନଶନ ସିଧାସଳଖ ଲୋକଙ୍କ ବ୍ୟାଙ୍କ ଖାତାରେ ପ୍ରଦାନ କରାଯିବ ବୋଲି ଅଧିକାରୀ ପ୍ରକାଶ କରିଛନ୍ତି। ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ପ୍ରାୟ ୨.୯୮ କୋଟି ହିତାଧିକାରୀଙ୍କୁ ଏପ୍ରିଲ ପ୍ରଥମ ସପ୍ତାହରେ ଭତ୍ତା ପ୍ରଦାନ ନେଇ ଯୋଜନା ଧାର୍ଯ୍ୟ ହୋଇଛି। ଏନ୍‌ଏସ୍‌ଏପିରେ ୬୦ରୁ ୭୯ ବୟସର ବ୍ୟକ୍ତି ବିଶେଷଙ୍କୁ ମାସିକ ୨୦୦ ଟଙ୍କା ପ୍ରଦାନ କରାଯାଉଥିବା ବେଳେ ୮୦ ବର୍ଷରୁ ଅଧିକ ବ୍ୟକ୍ତି ବିଶେଷଙ୍କୁ ମାସିକ ୫୦୦ ଟଙ୍କା ପ୍ରଦାନ କରାଯାଉଛି। ସେହିଭଳି ୪୦ରୁ ୭୯ ବର୍ଷ ବୟସ୍କ ବିଧବାକୁ ମାସିକ ୩୦୦ ଏବଂ ୮୦ ବର୍ଷରୁ ଅଧିକ ହୋଇଥିଲେ ୫୦୦ ଟଙ୍କା ଦେବାର ନିୟମ ରହିଛି। ସେହିଭଳି ୭୯ ବର୍ଷ ବୟସ ପର୍ଯ୍ୟନ୍ତ ଦିବ୍ୟାଙ୍ଗଙ୍କୁ ମାସିକ ୩୦୦ ଟଙ୍କା ଏବଂ ୮୦ ବର୍ଷ ଏବଂ ଉର୍ଦ୍ଧ୍ୱ ବୟସ ବ୍ୟକ୍ତି ବିଶେଷଙ୍କୁ ୫୦୦ ଟଙ୍କା ଦିଆଯାଇଛି। ଏହାବାଦ ୨ଟି କିସ୍ତିରେ ଆଗାମୀ ୩ ମାସ ଯାଏ ୧୦୦୦ ଟଙ୍କା ଦିଆଯିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଘୋଷଣା କରିଛନ୍ତି।

Share