Categories: ଫୁରସତ

ଭଉଣୀର ରାଖୀ ଉପହାର: ଆଗ୍ରାର ବନ୍ଦନା ସାନ ଭାଇକୁ ଦେଲେ କିଡ୍‌ନୀ

ରାଖୀ ପୂର୍ଣ୍ଣିମାରେ ଭଉଣୀ ଭାଇ ହାତରେ ରାଖୀ ବାନ୍ଧେ। ଭାଇ ପ୍ରତିବଦଳରେ ପ୍ରତିଶ୍ରୁତି ଦିଏ ସବୁ ବିପଦ ଆପଦରେ ଭଉଣୀକୁ ସୁରକ୍ଷା ପ୍ରଦାନ କରିବ। ତା’ସହ ଭଉଣୀ ହାତକୁ ବଢେଇ ଦିଏ ସ୍ନେହଭରା ଏକ ଉପହାର। ହେଲେ ଏହି ପୁରୁଣା ପରମ୍ପରାକୁ ଭାଙ୍ଗିଛନ୍ତି ଜଣେ ମହିଳା। ସେ ନିଜ ଭାଇଙ୍କୁ ଦେଇଛନ୍ତି ଉପହାର। ସେ ପୁଣି କୌଣସି ସାଧାରଣ ଉପହାର ନୁହେଁ। ବରଂ ଜୀବନର ଉପହାର। ସେହି ଭଉଣୀ ଜଣକ ହେଉଛନ୍ତି ଆଗ୍ରାର ବନ୍ଦନା ଚନ୍ଦ୍ରା। ତାଙ୍କ ସାନ ଭାଇ ବିବେକ ସରାଭୟଙ୍କର ଦୁଇଟି ଯାକ କିଡ୍‌ନୀ ଖରାପ ହୋଇଯାଇଥିଲା। ତେଣୁ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ଜରୁରୀ ଥିଲା। ସିନିୟର ଆଡଭୋକେଟ୍‌ ଥିବା ସରାଭୟ କହନ୍ତି, ‘ମୁଁ ସରକାରୀ, ବେସରକାରୀ ବିଭିନ୍ନ ଡାକ୍ତରଖାନା ସହ ଡୋନର୍‌ ପାଇଁ ସମ୍ପର୍କ କରିଥିଲି। ହେଲେ କୌଣସି ଡୋନର୍‌ ମିଳି ନ ଥିଲେ। ସ୍ଥିତି ବିଗିଡିବାରେ ଲାଗିଥିଲା। ମୋର ସମୟ ସରି ସରି ଯାଉଥିଲା। ଏହି ସମୟରେ ମୋ ବଡ଼ ଭଉଣୀ ତା’ ନିଜ ପରିବାରର ବାରଣସତ୍ତ୍ୱେ କିଡ୍‌ନୀ ଦେବା ପାଇଁ ଆଗେଇ ଆସିଥିଲେ। ଆଉ ତାହା ମୋ କିଡ୍‌ନୀ ସହ ମ୍ୟାଚ୍‌ ବି କଲା। ଶେଷରେ ସେ ତା’ର ଗୋଟିଏ କିଡ୍‌ନୀ ଦେଇ ମତେ ଦ୍ୱିତୀୟ ଜୀବନ ପ୍ରଦାନ କଲା। ଯେଉଁ ଋଣ ମୁଁ ଜୀବନରେ କେବେ ଶୁଝି ପାରିବିନି।’ ବନ୍ଦନା କହନ୍ତି,‘ ମୋର ମନେ ଅଛି ମୋ ଭାଇ ମତେ ଅନେକ ଅସୁବିଧା ସମୟରେ ସାହାଯ୍ୟ କରିଥିଲା। ଏମିତିକି ଆସନ୍ନ ପ୍ରସବା ଥିଲା ବେଳେ ମତେ ରୋଷେଇ କରି ଖାଇବାକୁ ଦେଉଥିଲା। ମୁଁ ମୋ ଭାଇକୁ ବହୁତ ଭଲ ପାଉଥିଲି। ଏମିତିରେ ତାକୁ କେମିତି ମୃତ୍ୟୁମୁଖକୁ ଠେଲି ଦେଇ ପାରିଥାନ୍ତି। ତେଣୁ ତାକୁ କିଡ୍‌ନୀ ଦେବାକୁ ନିଷ୍ପତ୍ତି ନେଲି। ଏବେ ସେ ସୁସ୍ଥ। ତେଣୁ ମୁଁ ବହୁତ ଖୁସି।’

Share