ଭକ୍ତଙ୍କ ଅନୁଭୂତି: ମହାପ୍ରଭୁଙ୍କୁ ଡାକିବାରୁ ବର୍ଷା ହେଲାନି

ରଥ ଅମିନ ଲକ୍ଷ୍ମଣ ମହାପାତ୍ର। ବୟସ ୬୦ ଟପିଲାଣି। ତଥାପି ବେଶ୍‌ ଚଳଚଞ୍ଚଳ। ରଥଖଳାରେ ତାଙ୍କର ଭାରି ଆଦର। ତିନିରଥ ନିର୍ମାଣ ଲାଗି ସେ କାଠପଟା ଯୋଗାଇଥାନ୍ତି। ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ କାଠ ସେ ଖଳାରେ ପହଞ୍ଚାଇବା ବ୍ୟବସ୍ଥା କରନ୍ତି। ୧୦ବର୍ଷ ବୟସରେ ବାପା ହରିହରଙ୍କ ସହିତ ରଥଖଳାରେ ପାଦ ଦେଇଥିଲେ। ସେତେବେଳେ ସେ ନନ୍ଦିଘୋଷ ରଥରେ ମହାରଣା କାମ କରୁଥିଲେ। ୨୦୦୧ରେ ଶାଢି ବନ୍ଧାଇଥିବା ଲକ୍ଷ୍ମଣ ୨୦ବର୍ଷ ହେଲା ରଥର ଅମିନ ଭାବେ କାର୍ଯ୍ୟ କରିଆସୁଛନ୍ତି। ବର୍ତ୍ତମାନ ତାଙ୍କ ପୁଅ ସୁଧାକର ମଧ୍ୟ ରଥଖଳାରେ କାର୍ଯ୍ୟ କରୁଛନ୍ତି। ତିନୋଟି ନବକଳେବରରେ କାମ କରିଥିବା ଲକ୍ଷ୍ମଣ ନିଜ ଅନୁଭତି ସମ୍ପର୍କରେ କହନ୍ତି, ଦୀର୍ଘବର୍ଷ ମଧ୍ୟରେ ବହୁ ଅନୁଭୂତି ରହିଛି। ମୁଁ ମହାପ୍ରଭୁଙ୍କର ଜଣେ ସେବକ। ତାଙ୍କ ସେବାରୁ ଆତ୍ମତୃପ୍ତି ମିଳେ। ତାଙ୍କ ଇଚ୍ଛା ବିନା କିଛି ବି ହୋଇପାରିବ ନାହିଁ। ସୋମବାର କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। କୌଣସି ସମୟରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିଲା। ଏକ ସ୍ବରରେ ମହାପ୍ରଭୁଙ୍କୁ ଡାକିଲୁ। ଦୁଆରବେଢା ନ ଉଠିବା ପର୍ଯ୍ୟନ୍ତ ବର୍ଷା ଟିକିଏ ଥମିଯାଉ ବୋଲି ଗୁହାରି ଜଣାଇଲୁ। ମହାପ୍ରଭୁ ଆମ ଡାକ ଶୁଣିଲେ, କାମ ନ ସରିବା ପର୍ଯ୍ୟନ୍ତ ବର୍ଷା ଟୋପେ ବି ପଡ଼ିନି। ଆଉ ଦୁଇଦିନ ପରେ ଲକ୍ଷାଧିକ ଭକ୍ତଙ୍କୁ ଦର୍ଶନ ଦେବେ କାଳିଆ ଠାକୁର। ତାଙ୍କ ଲାଗି ଶ୍ରୀକ୍ଷେତ୍ର ଏବେଠୁ ଭକ୍ତମୟ ହୋଇପଡ଼ିଲାଣି। ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଲାଣି।

Share