ଭକ୍ତଙ୍କ ବିନା ହେଲା ପୂଜାର୍ଚ୍ଚନା

ପୁରୀ ଅଫିସ,୧୪ା୪: ଶ୍ରୀକ୍ଷେତ୍ରରେ ପାଳିତ ହୋଇଯାଇଛି ପବିତ୍ର ମହାବୀର ଜୟନ୍ତୀ ତଥା ମହାବିଷୁବ ସଂକ୍ରାନ୍ତି। ଓଡ଼ିଆ ନବବର୍ଷକୁ ସ୍ବାଗତ କାର୍ଯ୍ୟକ୍ରମ ଚଳିତବର୍ଷ ଫିକା ପଡ଼ିିଥିଲା। ସବୁ ମନ୍ଦିରରେ ଦେବଦେବୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା। କିନ୍ତୁ ନ ଥିଲେ ଭକ୍ତ। ଅର୍ଥାତ୍‌ କୌଣସି ମନ୍ଦିର ଆଗରେ ଶ୍ରଦ୍ଧାଳୁଙ୍କ ଧାଡ଼ି ଦେଖିବାକୁ ମିଳି ନ ଥିଲା କିମ୍ବା ଜୟ ହନୁମାନର ସ୍ବର ଶୁଣିବାକୁ ମିଳି ନ ଥିଲା। ପଣା ପ୍ରସ୍ତୁତ କରାଯାଇ ପଥଚାରୀଙ୍କୁ ବିଭିନ୍ନ ଅନୁଷ୍ଠାନ ବାଣ୍ଟୁଥିବା ବି ଦେଖିବାକୁ ମିଳି ନ ଥିଲା। କରୋନା କଟକଣା ପାଇଁ ଏଥର ସବୁ ଫିକା।
ପୁରୀ ଜିଲାର ପ୍ରସିଦ୍ଧ ଶିରୁଳୀ ମହାବୀର ପୀଠରେ ନିରାଡମ୍ବର ଭାବେ ମହାବୀରଙ୍କ ଜୟନ୍ତୀ ପାଳିତ ହୋଇଛି। ଭକ୍ତଙ୍କ ବିନା କେବଳ ଠାକୁରଙ୍କ ନୀତିକାନ୍ତି କରାଯାଇଛି ବୋଲି ମହାବୀରଙ୍କ ଅଙ୍ଗଲାଗି ସେବାୟତ ରଞ୍ଜିତ ମହାପାତ୍ର ସୂଚନା ଦେଇଛନ୍ତି । ସେହିପରି ସିଦ୍ଧ ମହାବୀରଙ୍କ ପୀଠ, ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ମହାବୀର, ଚକ୍ରତୀର୍ଥ ରୋଡସ୍ଥିତ ଦରିଆ ମହାବୀର, ବଡଛତା ମହାବୀର, ଶ୍ରୀଜଗନ୍ନାଥ ବଲ୍ଲଭ ମଠସ୍ଥିତ ସୁଗ୍ରୀବ ମହାବୀର, ବାଲିସାହିସ୍ଥିତ ମଶାଣୀ ମହାବୀର, ଦଇତାପଡା ସାହିସ୍ଥିତ ପୋଖରିଆ ମହାବୀର, ଭିଆଇପି ରୋଡସ୍ଥିତ ସତ୍ୟ ମହାବୀର ମନ୍ଦିରରେ କେବଳ ପୂଜାର୍ଚ୍ଚନା କରାଯାଇଥିଲା। ପୁରୀ ସହରର ବିଭିନ୍ନ ଜାଗାରେ କେବଳ ମହାବୀରଙ୍କ ପୂଜାର୍ଚ୍ଚନା ହୋଇଥିଲା । ସେହିପରି ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରେ ଫତେ ମହାବୀର, ପଶ୍ଚିମ ଦ୍ୱାରରେ ବୀର ବିକ୍ରମ ହୁନମାନ ତଥା କାନପତା ହନୁମାନ, ଉତ୍ତର ଦ୍ୱାରରେ ତପସ୍ବୀ ହନୁମାନ ତଥା ଚାରିଚକ୍ର ହନୁମାନ ପୂଜିତ ହେଉଛନ୍ତି। ଦକ୍ଷିଣ ଦ୍ୱାର ବାହାର ପାର୍ଶ୍ୱରେ ବିରାଟକାୟ ହନୁମାନ ପୂଜା ପାଉଛନ୍ତି। ତାଙ୍କୁ ଖପର ହନୁମାନ ମଧ୍ୟ କେହି କେହି କହିଥାନ୍ତି। ପଣା ସଂକ୍ରାନ୍ତି ଅବସରରେ ଠାକୁରଙ୍କୁ ନାଗା ବେଶରେ ସୁସଜ୍ଜିତ କରାଯାଇଥିଲା। ସେହିପରି ପରମ୍ପରା ଅନୁଯାୟୀ ତୁଳସୀ ଚଉରାରେ ଜଳାଧାର କରାଯାଇଛି।

ଜାଗା ଆଖଡ଼ା ଖାଁ ଖାଁ

ହନୁମାନ ଜୟନ୍ତୀରେ ସୋମବାର ପୁରୀ ସହରସ୍ଥ ଜାଗା ଆଖଡାଗୁଡ଼ିକ ଖାଁ ଖାଁ ରହିଥିଲା। ଆଖଡାଗୁଡ଼ିିକରେ ହନୁମାନଙ୍କ ପୂଜାର୍ଚ୍ଚନା ହୋଇଥିଲା। ସମରକଳା ଶିକ୍ଷା ଲାଗି ବ୍ୟବହୃତ ସରଞ୍ଜାମଗୁଡିକୁ ଶିକ୍ଷାର୍ଥୀ ପୂଜା କରିଥିଲେ। କିନ୍ତୁ ଲକ୍‌ଡାଉନ କଟକଣା ଯୋଗୁ ସାମରିକ କଳା କୌଶଳ ପରିବେଷଣ କି କୁସ୍ତି ବିଦ୍ୟା ଶିକ୍ଷା ଆରମ୍ଭ ହୋଇପାରି ନ ଥିଲା।

Share