Categories: ରାଜ୍ୟ

ଭକ୍ତ ପାଇଲେ ନୀଳାଚଳ ଅବଢ଼ା

ପୁରୀ ଅଫିସ,୧୭ା୭: ସରିଯାଇଛି ରଥଯାତ୍ରା। ରତ୍ନସିଂହାସନରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାବିଗ୍ରହ। ପୁଣି ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଗହଳି ଚହଳି। ମଙ୍ଗଳବାର ମହାପ୍ରଭୁଙ୍କୁ ଲାଗି ହୋଇଛି ମହାପ୍ରସାଦ। ଭକ୍ତ ପାଇଛନ୍ତି ନୀଳାଚଳ ଅବଢା। ଚନ୍ଦ୍ରଗ୍ରହଣ ଥିବାରୁ ନୀତିକାନ୍ତି ବି ସଅଳ ହୋଇଛି।
ଶ୍ରୀଗୁଣ୍ଡିଚା ଯାତ୍ରାଠାରୁ ଶ୍ରୀମନ୍ଦିରରେ ଅବଢା ବନ୍ଦ ରହିଥିଲା। ଚତୁର୍ଦ୍ଧାବିଗ୍ରହ ନବଦିନାତ୍ମକ ଯାତ୍ରା ଶେଷକରି ବାହୁଡ଼ିିଛନ୍ତି ଶ୍ରୀମନ୍ଦିର। ଖାଲିପଡ଼ିଥିବା ରତ୍ନସିଂହାସନ ମହାପ୍ରଭୁଙ୍କ ବିରାଜମାନରେ ଶୋଭାବର୍ଦ୍ଧନ କରୁଛି। ରତ୍ନସିଂହାସନରେ ଦାରୁବିଗ୍ରହଙ୍କ ଦର୍ଶନ ଓ ଆନନ୍ଦବଜାରରେ ଅବଢା ପାଇଁ ଭକ୍ତଙ୍କ ଅପେକ୍ଷା ରହିଥିଲା। ଏବେ ଏହି ପ୍ରତୀକ୍ଷାର ଅନ୍ତ ଘଟିଛି। ମଙ୍ଗଳବାର ଭୋର ୫ଟା ୪୫ରେ ଶ୍ରୀମନ୍ଦିର ଦ୍ୱାର ଫିଟିଥିଲା। ଏହାପରେ ମନ୍ଦିର ଭିତର ଶୋଧ କରାଯାଇ ସକାଳ ୬ଟା ୧୫ରେ ମଙ୍ଗଳ ଆଳତି ହୋଇଥିଲା। ୮ଟା ୧୫ରେ ଅବକାଶ ନୀତି ପରେ ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଏବଂ ଠାକୁରଙ୍କ ବେଶ ବଢିଥିଲା। ପୂର୍ବାହ୍ନ ୧୦ଟା ୧୫ରେ ଗୋପାଳବଲ୍ଲଭ ନୀତି ସମ୍ପନ୍ନ ହୋଇଥିଲା। ୧୧ଟା ୫୦ରେ ସକାଳ ଧୂପ ସରି ଅପରାହ୍ନ ୧ଟା ୩୫ରେ ଭୋଗ ମଣ୍ଡପ ବଢି ବାହାରିଥିଲା ନୀଳାଚଳ ଅବଢା। ଏହି ଅବଢା ପାଇ ଭକ୍ତ ତୃପ୍ତ ହୋଇଥିଲେ। ପ୍ରଥମ ଅବଢା ପାଇବା ପାଇଁ ଶ୍ରୀମନ୍ଦିର ଆନନ୍ଦବଜାରରେ ପ୍ରବଳ ଭିଡ଼ ହୋଇଥିଲା। ଦର ସାମାନ୍ୟ ଅଧିକ ରହିଥିଲା। ଅନ୍ୟପକ୍ଷେ ଚନ୍ଦ୍ରଗ୍ରହଣ ଥିବାରୁ ୨ଟା ୧୫ରୁ ଅପରାହ୍ନ ୪ଟା ମଧ୍ୟରେ ଦ୍ୱିତୀୟ ଭୋଗମଣ୍ଡପ ସାରିବା ଲାଗି ନୀତି ନିର୍ଘଣ୍ଟ ହୋଇଥିଲା। କିନ୍ତୁ ଏହା ପୂର୍ବରୁ ଅର୍ଥାତ୍‌ ୩ଟା ୪୫ରେ ଦ୍ୱିତୀୟ ଭୋଗ ମଣ୍ଡପ ବଢିଥିଲା।

Share