Categories: ଫୁରସତ

ଭଗବାନଙ୍କୁ ଚିଠି ଲେଖି ମନ୍ଦିର ଦାନବାକ୍ସରୁ ଟଙ୍କା ନେଇଗଲେ ଚୋର, ପଢ଼ନ୍ତୁ ଚିଠିରେ କ’ଣ ଲେଖାଥିଲା

ଜଣେ ଚୋର ଅଭିନବ ଉପାୟରେ ଚୋରି କରିଛନ୍ତି। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଚୋର ଜଣକ ମାନବିକତା ସହକାରେ ଚୋରି କରିଛନ୍ତି। ତାହା ପୁଣି କୌଣସି ବ୍ୟକ୍ତିଙ୍କ ନିକଟକୁ ଯାଇ ନୁହେଁ, ମନ୍ଦିରରେ ଠାକୁରଙ୍କ ମୂର୍ତ୍ତିଙ୍କ ନିକଟକୁ ଯାଇ ନିଜର ଦୁଃଖ ଜଣାଇ ଚୋରି କରିଛନ୍ତି। ମଧ୍ୟପ୍ରଦେଶର ବୈତୁଲ ଜିଲାରେ ଏପରି ଭିନ୍ନ ଧରଣର ଚୋରି ନଜରକୁ ଆସିଛି। ମନ୍ଦିର ଭିତରରେ ପ୍ରବେଶ କରି ଚୋର ଭଗବାନଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖି ଦାନବାକ୍ସରୁ ନଗଦ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି। ବୈତୁଲ ଜିଲାର ସାରଣୀସ୍ଥିତ ରାଧାକୃଷ୍ଣ ଓ୍ବାର୍ଡର ସିଦ୍ଧେଶ୍ୱର ହନୁମାନ ମନ୍ଦିରରେ ଚୋର ହନୁମାନଜୀଙ୍କୁ ଚିଠି ଲେଖି ଦାନବାକ୍ସରୁ ନଗଦ ୪୦ରୁ ୫୦ ହଜାର ଟଙ୍କା ନେଇ ପଳାଇଛନ୍ତି। ସେ ପରିସ୍ଥିତିରେ ପଡ଼ି ଏପରି ଚୋରି କରୁଛନ୍ତି, ତାଙ୍କର ସବୁ ଦୋଷ କ୍ଷମା କରିବାକୁ ଚିଠିରେ ଭଗବାନଙ୍କୁ ଲେଖିଛନ୍ତି। ଚିଠିଟି ଦାନବାକ୍ସ ଉପରେ ରଖି ଚାଲିଯାଇଥିଲେ। ସକାଳୁ ଶ୍ରଦ୍ଧାଳୁମାନେ ମନ୍ଦିରକୁ ଆସି ଦାନବାକ୍ସ ଖୋଲା ଥିବା ଦେଖିବାକୁ ପାଇଥିଲେ। ଗ୍ରାମବାସୀ କୁହନ୍ତି, ୩ ବର୍ଷ ଧରି ଏହି ଦାନବାକ୍ସ ଖୋଲା ଯାଇ ନ ଥିଲା। ତେଣୁ ଏଥିରେ ୪୦ରୁ ୫୦ ହଜାର ଟଙ୍କା ଥିବା ଅନୁମାନ କରାଯାଉଛି। ଚୋରି ସମ୍ପର୍କରେ ଗ୍ରାମବାସୀ ପୋଲିସରେ ଖବର ଦେବାରୁ ପୋଲିସ ଚିଠିଟିକୁ ଜବତ କରିବା ସହ ତଦନ୍ତ ଚଳାଇଛି।

Share