ଭଙ୍ଗାଘରେ ଚାଲିଛି ସମିତି କାର୍ଯ୍ୟାଳୟ

ଝୁମ୍ପୁରା, ୨୧।୮ (ଡି.ଏନ.ଏ.)-ଚାଷୀ ଓ ଚାଷ ସହିତ ଓତପ୍ରୋତ ଭାବେ ଜଡିତ ଝୁମ୍ପୁରା ବୃହଦାଗାର ବହୁମୁଖୀ ସମବାୟ ସମିତି ଲିଃ (ଲ୍ୟାମ୍ପସ)ର କାର୍ଯ୍ୟାଳୟ, ଗୋଦାମ ଗୃହ ଏବେ ଭଗ୍ନ ଅବସ୍ଥାରେ। ଚାଷୀଙ୍କ ପାଇଁ ଗୋଦାମ ଘରେ ରଖାଯାଉଥିବା ସାର ଓ ଔଷଧ ବର୍ଷାପାଣିରେ ଓଦା ହୋଇଯାଉଛି। କାନ୍ଥ ସବୁ ଏମିତି ଅବସ୍ଥାକୁ ଆସିଲାଣି ଯେ, କେତେବେଳେ ଭୁଶୁଡ଼ି ପଡିବ କହିହେବ ନାହିଁ। ଉପରେ ଟିଣ ଓ ଟାଇଲର ଛପର। ଲ୍ୟାମ୍ପସ୍‌ରେ ରେଜିଷ୍ଟ୍ରେଶନ ହୋଇଥିବା ଝୁମ୍ପୁରା ବ୍ଲକର ୩ହଜାରରୁ ଊର୍ଦ୍ଧ୍ୱ ଚାଷୀଙ୍କର କାଗଜପତ୍ର ସହିତ ସମବାୟ ସମିତିର କାର୍ଯ୍ୟାଳୟର ସମସ୍ତ ଫାଇଲ ମଧ୍ୟ ଏହି ଭଙ୍ଗାଘରେ ରଖାଯାଉଛି। ସମବାୟ ସମିତିର ଘରଗୁଡିକର କବାଟ, ଝରକା ମଧ୍ୟ ଭାଙ୍ଗି ଗଲାଣି। ଚାଷୀଙ୍କ ପାଇଁ ବିଶ୍ରାମ ଗୃହଟିଏ ନାହିଁ। ପୁଣି କାର୍ଯ୍ୟାଳୟର ଏକ ପାର୍ଶ୍ୱରେ ରହିଛି ଲ୍ୟାମ୍ପସ୍‌ର ଏକ ମିନିବ୍ୟାଙ୍କ। ଚାଷୀଙ୍କର ପାସ୍‌ବହି ରଖାଯିବା ସହିତ ଦେଣନେଣ କାରବାର ମଧ୍ୟ ହୋଇଥାଏ। ଏହା ବ୍ୟତୀତ ଧାନ ଅମଳ ସମୟରେ ଚାଷୀଙ୍କ ଉପତ୍ାଦିତ ଧାନ ଲ୍ୟାମ୍ପସ୍‌ ଦ୍ୱାରା ହିଁ କ୍ରୟ କରାଯାଇଥାଏ। ଭଙ୍ଗାଘର, ଭଙ୍ଗା ଟେବୁଲ ଚେୟାରରେ ବସି କାର୍ଯ୍ୟାଳୟ କାମ ତୁଲାଉଥିଲେ ହେଁ, ପଚାରିଲେ ସମବାୟ ସମିତିର କର୍ମଚାରୀମାନେ ନୀରବ ରହୁଛନ୍ତି। ଚାଷୀଙ୍କର ବିଶ୍ରାମ ଗୃହ ସହିତ ସମସବାୟ ସମିତିର ଘର ଗୁଡିକର ଛପର ବଦଳାଇବା ଏବଂ ମରାମତି କରିବା ପାଇଁ ଚାଷୀ ସମୂହ ବାରମ୍ବାର ଦାବି କରି ଆସୁଛନ୍ତି। କିନ୍ତୁ ତାହା ହୋଇପାରୁନାହଁ। ଆବଶ୍ୟକତା ଦୃଷ୍ଟିରୁ ୧୯୭୭ ମସିହା ଠାରୁ ଝୁମ୍ପୁରା ଲ୍ୟାମ୍ପସ୍‌ କାର୍ଯ୍ୟକ୍ଷମ ହୋଇଛି। ସେବେଠାରୁ ନିର୍ମାଣ ହୋଇଥିବା ଏହିସବୁ ଘର ଭଗ୍ନ ଅବସ୍ଥାକୁ ଚାଲି ଆସିଥିଲେ ହେଁ, ମରାମତି ପାଇଁ ଧ୍ୟାନ ଦିଆଯାଉନାହିଁ। ଏ ସମ୍ପର୍କରେ ଝୁମ୍ପୁରା ଲ୍ୟାମ୍ପସର ନିର୍ଦ୍ଦେଶିକା ସସ୍ମିତା ପ୍ରଧାନଙ୍କୁ ପଚାରିବାରୁ ଘରଗୁଡିକର ମରାମତି ପାଇଁ ରିପୋର୍ଟ କରାଯାଇଛି। ଚମ୍ପୁଆସ୍ଥିତ ଏଆରସିଏସ ସରୋଜିନୀ ଜେନା କହିଛନ୍ତି ଯେ, ଝୁମ୍ପୁରା ଲ୍ୟାମ୍ପସ ଘର ମରାମତି ତଥା ନିର୍ମାଣ ଏବେ ବିଚାରାଧୀନ ରହିଛି, ମରାମତି ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ।