ଭଙ୍ଗାଚାଳିଆରେ ବିତୁଛି ଦିନ

ରାଇସୁଆଁ, ୨୦।୧(ଡି.ଏନ.ଏ.)-ସରକାର ଗରିବ ନିରାଶ୍ରୟଙ୍କ ଥଇଥାନ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁପକ୍କା ଘର ଆଦି ଯୋଜନା କରିଛନ୍ତି। ମାତ୍ର କେନ୍ଦୁଝର ଜିଲା ସଦର ଅଞ୍ଚଳରେ ଏହାର ବହୁ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ବହୁ ଧନିକ ଗୋଷ୍ଠୀର ଲୋକ ହାତଗୁଞ୍ଜା ଦେଇ ହାତେଇ ନେଇଛନ୍ତି ପ୍ରଧାନମନ୍ତ୍ରୀ ଆବାସ ,ବିଜୁ ପକ୍କା ଘର। ମାତ୍ର ବହୁ ଗରିବ ନିରାଶ୍ରୟ ହାତ ଗୁଞ୍ଜା ଦେଇ ନ ପାରିବାରୁ ବଞ୍ଚିତ ହୋଇ ରହିଯାଉଛନ୍ତି। ଫଳରେ ଏବେ ବି ବହୁ ଦୟନୀୟ ଭାବରେ ଭଙ୍ଗା ଚାଳିଆରେ ରହୁଛନ୍ତି। ଏହା ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ସଦର ଅଞ୍ଚଳର ବାଉରୀପଦା ପଞ୍ଚାୟତର ମୁକୁନା ଗ୍ରାମର ଗରିବ ନିରାଶ୍ରୟ ନବ ବେହେରାଙ୍କ କ୍ଷେତ୍ରରେ। ନବ ବେହେରା ଜଣେ ଅତି ଗରିବ ଆଦିବାସୀ ବ୍ୟକ୍ତି। ବୟସ ତାଙ୍କର ୭୫। ନିଃସନ୍ତାନ ଅଟନ୍ତି। ଆଗରୁ ବଳବୟସ ଥିବାରୁ କାମଧନ୍ଦା କରି ପରିବାର ପ୍ରତିପୋଷଣ କରୁଥିଲେ। ମାତ୍ର ଏବେ ବାର୍ଦ୍ଧକ୍ୟ ଯୋଗୁ କାମଧନ୍ଦା କରି ପାରୁ ନାହାନ୍ତି। ଫଳରେ ସ୍ତ୍ରୀସ୍ବାମୀ ମିଶି କିଛି ବାଉଁଶ ସାମଗ୍ରୀ ତିଆରି କରି ବହୁ କଷ୍ଟରେ ବିକ୍ରିବଟା କରି ଚଳନ୍ତି। ଘର ଡିହ ଖଣ୍ଡିକୁ ଛାଡିଦେଲେ ଜମିବାଡି ବୋଲି କିଛି ନାହିଁ। ମୁଣ୍ଡ ଗୁଞ୍ଜିବା ପାଇଁ ଖଣ୍ଡେ ପ୍ରଧାନମନ୍ତ୍ରୀ ଆବାସ ପାଇଁ ବହୁ ବାର ବ୍ଲକ କାର୍ଯ୍ୟାଳୟରୁ ପଞ୍ଚାୟତ କାର୍ଯ୍ୟାଳୟକୁ ଧାଇଁ ଧାଇଁ ନୟାନ୍ତ ହେଲେଣି ହେଲେ ଆଜିଯାଏ ତାଙ୍କୁ ଖଣ୍ଡେ ଘର ମିଳିଲାନାହିଁ। ଫଳରେ ବର୍ଷା ଶୀତରେ ଏହି ଭଙ୍ଗା ଘରେ ପଲିଥିନ ଟାଣି ରହୁଛନ୍ତି। ଏଥି ପ୍ରତି ଜିଲା ପ୍ରଶାସନ ଦୃଷ୍ଟିଦେଇ ତୁରନ୍ତ ତାଙ୍କୁ ଖଣ୍ଡେ ମୁଣ୍ଡ ଗୁଞ୍ଜିବାକୁ ଘର ଯୋଗାଇ ଦେବାକୁ ସ୍ଥାନୀୟ ଅଞ୍ଚଳର ବହୁ ଜନସାଧାରଣ ଜିଲାପ୍ରଶାସନ ନିକଟ ରେ ଦାବି କରିଛନ୍ତି।