Advertisement

ଭଙ୍ଗାଯାଉନି ବିପଦସଙ୍କୁଳ ଶ୍ରେଣୀଗୃହ : ଛାତ୍ରୀଛାତ୍ରଙ୍କ ଜୀବନ ପ୍ରତି ବିପଦ

ନୟାଗଡ଼ ଅଫିସ/ନୂଆଗାଁ (ଡି.ଏନ.ଏ.)୨୭।୯: ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଚାହାଳିସ୍ଥିତ ଜନଶକ୍ତି ନୋଡ଼ାଲ ଉଚ୍ଚବିଦ୍ୟାଳୟରେ କେତେକ ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଫଳରେ ଛାତ୍ରୀଛାତ୍ରଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ରହିଥିବାବେଳେ ତାହା ଭଙ୍ଗାଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଗତ ବର୍ଷ ଅଗଷ୍ଟ ମାସରେ ତତ୍କାଳୀନ ଜିଲାପାଳ ଡା. ଏନ୍‌. ତିରୁମାଲା ନାୟକ ଉକ୍ତ ବିଦ୍ୟାଳୟ ପରିଦର୍ଶନ କରିଥିବା ବେଳେ ବିପଦସଙ୍କୁଳ ଗୃହକୁ ଭାଙ୍ଗିବା ପାଇଁ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବିଦ୍ୟାଳୟ ପରିଚାଳନା କମିଟି ମଧ୍ୟ ବିଧିବଦ୍ଧ ଭାବେ ଉକ୍ତ ଘରକୁ ଭାଙ୍ଗିବା ପାଇଁ ଜିଲା ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ କିନ୍ତୁ ଉକ୍ତ ଘରକୁ ଭଙ୍ଗାଯାଇନାହିଁ। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁ ବିଦ୍ୟାଳୟର ଶ୍ରେଣୀଗୃହକୁ ଭଙ୍ଗା ଯାଉ ନ ଥିବା ବିଦ୍ୟାଳୟ ପରିଚାଳନା କମିଟି ପ୍ରକାଶ କରିଛିି। ଫଳରେ ଉକ୍ତ ଘରେ ଛାତ୍ରୀଛାତ୍ରଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ସେମାନେ ପ୍ରକାଶ କରିଛନ୍ତିି । ବର୍ତ୍ତମାନ ୩ ଦିନ ଧରି ଲଗାଣ ବର୍ଷା ହେବା ଫଳରେ ବିଦ୍ୟାଳୟ ପରିସରରେ ଥିବା ୪ଟି ବିପଦସଙ୍କୁଳ ଗୃହର ଅବସ୍ଥା ଶୋଚନୀୟ ହୋଇପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share