ଭଙ୍ଗା ଘରେ ଚାଲିଛି ପାଠ ପଢ଼ା

ତେଲକୋଇ, ୨୨।୮(ଡି.ଏନ.ଏ.)-ତେଲକୋଇ ମୁଖ୍ୟାଳୟରେ ରହିଛି ସର୍ବ ପୂରାତନ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ । ଏହି ବିଦ୍ୟାଳୟ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହୁଥିବା ବେଳେ ଶ୍ରେଣୀ ଗୃହରେ ପାଣି ଓ ଅଫିସ ଗୃହରେ ପାଣି ଯୋଗୁ ଆସବାବ ପତ୍ର ନଷ୍ଟ ହେବାରେ ଲାଗିଛି। ଉକ୍ତ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀ ଠାରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ୩୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅଧ୍ୟୟନ କରନ୍ତି। ଶତପ୍ରତିଶତ ପିଲା ଜନଜାତି ଓ ଅନୁସୂଚିତ ଜନଜାତି ଶ୍ରେଣୀର। ତେବେ ବିଦ୍ୟାଳୟର ରକ୍ଷଣାବେକ୍ଷଣ ଦାୟିତ୍ୱ ଗ୍ରାମ୍ୟ ଓ ଗୃହ ନିର୍ମାଣ ବିଭାଗ ଅଧୀନରେ ରହିଥିଲେ ହେଁ ଏହାକୁ ଗୁରୁତ୍ୱ ଦିଆଯାଉ ନ ଥିବା ଯୋଗୁ ଏବେ ଏହି ସରକାରୀ ଉଚ୍ଚ ବିଦ୍ୟାଳୟ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏପରିକି ବର୍ଷା ହେଲେ ପାଠପଢା ବନ୍ଦ କରାଯାଉଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି। ଏପରିସ୍ଥଳେ ଏହି ବିଦ୍ୟାଳୟ ପାଇଁ ୧୧୦ ଶଯ୍ୟା ବିଶିଷ୍ଟ ଏକ ଛାତ୍ରୀନିବାସ ରହିଛି। କେବଳ ଜନଜାତି ଓ ଅନୁସୂଚିତ ଜନଜାତି ଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଏହା ୨୦୧୫ ମସିହାରେ ସମ୍ପୂର୍ଣ୍ଣ କରାଯାଇଥିବା ବେଳେ ଅଦ୍ୟାବଧି ରହିବାର ସୁଯୋଗ ମିଳି ନଥିବା ଯୋଗୁଁ ଏହା ଅବହେଳିତ ହୋଇ ପଡିରହିଛି। ଏସମ୍ପର୍କରେ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ସାହୁଙ୍କୁ ପଚାରିବାରୁ ମୂଖ୍ୟ ଅଫିସ ସହିତ କ୍ଲାସ ରୁମରେ ସାମାନ୍ୟ ବର୍ଷା ହେଲେ ପାଠପଢା ବନ୍ଦ କରାଯାଉଛି । ଏନେଇ ଜିଲା ପ୍ରଶାସନଙ୍କୁ ଲିଖିତ ଅଭିଯୋଗ ହୋଇଛି। ଏଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ସେହିପରି ଛାତ୍ରୀ ନିବାସ ନିର୍ମାଣ ହୋଇଥିଲେ ହେଁ ପାନୀୟଜଳ ଓ ପାଚେରୀ ସହିତ ବିଦ୍ୟୁତ ସଂଯୋଗ ନ ଥିବା ଯୋଗୁଁ ଏହା କାର୍ଯ୍ୟକ୍ଷମ କରାଯାଇପାରି ନାହିଁ ।