ଭଙ୍ଗା ପଲାରେ କଟୁଛି ଦିନ

ରାଇସୁଆଁ, ୧।୧(ଡି.ଏନ.ଏ.): ସରକାର ନିରାଶ୍ରୟଙ୍କ ଥଇଥାନ ପାଇଁ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଯୋଜନା ପରେ ଯୋଜନା କରିଚାଲିଛନ୍ତି। ମାତ୍ର ପ୍ରଶାସନିକ ସ୍ତରରେ ମାନସିକତାର ଅଭାବ ଏବଂ ପଞ୍ଚାୟତସ୍ତରୀୟ ନେତାଙ୍କ ଦୁର୍ନୀତିଖୋର ମନୋବୃତ୍ତି ପାଇଁ ବହୁ ଯୋଗ୍ୟ ହିତାଧିକାରୀ ସରକାରଙ୍କ ଜନକଲ୍ୟାଣ ଯୋଜନାରୁ ବଞ୍ଚିିତ ହେଉଥିବା ଦେଖିବାକୁ ମିଳୁଛି।
ଏହିପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ତଳକଇଁସାରି ପଞ୍ଚାୟତର ଜଳଡିହି ଗ୍ରାମର ଶୁକ୍ରା ମୁଣ୍ଡାଙ୍କ ପରିବାର କ୍ଷେତ୍ରରେ। ୬ମାସରୁ ଊର୍ଦ୍ଧ୍ୱ ହେବ ଶୁକ୍ରା ତାଙ୍କ ସ୍ତ୍ରୀ ଏବଂ ତାଙ୍କର ୩ ସନ୍ତାନ ପାଳକୁଟାରେ ନିର୍ମିତ ଘରେ ଅତ୍ୟନ୍ତ ଦୟନୀୟ ଭାବରେ ରହୁଛନ୍ତି। ସୂଚନା ଅନୁସାରେ ଘୂର୍ଣ୍ଣିଝଡରେ ତାଙ୍କ ଘରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବହୁବାର ବ୍ଲକ କାର୍ଯ୍ୟାଳୟ ଏବଂ ପଞ୍ଚାୟତ କାର୍ଯ୍ୟାଳୟରେ ଜଣାଇଲେ ମଧ୍ୟ ଆଜିଯାଏ ତାଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ ଘର ମିଳି ନ ଥିବା ସେ ଅଭିଯୋଗ କରିଛନ୍ତି। ଶୁକ୍ରା ଜଣେ ଗରିବ ଦିନ ମଜୁରିଆ। ସେ ପର ଘରେ କାମଧନ୍ଧା କରି ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। ଘର ନିର୍ମାଣ କରିବାକୁ ଅକ୍ଷମ ବୋଲି କହିବା ସହ ଖରା ବର୍ଷା ଶୀତରେ ଏହି ପାଳକୁଟା ପଲାରେ ରହୁଥିବା କହିଛନ୍ତି। ଏହି ପଞ୍ଚାୟତରେ ବହୁ ଧନିକ ଶ୍ରେଣୀର ଲୋକ ପ୍ରଧାନମନ୍ତ୍ରୀ ଆବାସ ଗୃହ, ବିଜୁପକ୍କା ଘର ହାତେଇଥିବା ବେଳେ ଏହି ଭଳି ଜଣେ ଗରିବଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ ଘର ନ ମିଳିବା ଅତ୍ୟନ୍ତ ଦୁଃଖଦାୟକ କଥା ବୋଲି ସ୍ଥାନୀୟ ଅଞ୍ଚଳର ବହୁ ଜନସାଧାରଣ କହିଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ତୁରନ୍ତ ଶୁକ୍ରାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରି ଏକ ଘର ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

Share