ଭଙ୍ଗା ହେଲା ସ୍ମିତାରାଣୀ ବ୍ୟବହାର କରୁଥିବା ଲକର୍‌: କାଗଜପତ୍ର ଯାଞ୍ଚ କରୁଛନ୍ତି ଅଧିକାରୀ

ଧର୍ମଶାଳା, ୧୬।୧୧(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏହି କ୍ରମରେ ଶନିବାର ବ୍ଲକ ପରିସରରେ ସେ ବ୍ୟବହାର କରୁଥିବା ଲକର୍‌କୁ ଭଙ୍ଗାଯାଇଛି। ମାଜିଷ୍ଟ୍ରେଟ୍‌ ତଥା ତହସିଲଦାର ସରୋଜ କୁମାର ପଣ୍ଡା, ଥାନାଧିକାରୀ ସରୋଜ କୁମାର ସାହୁ, ବିଡିଓ ହେମନ୍ତ କୁମାର ସ୍ବାଇଁଙ୍କ ଉପସ୍ଥିତିରେ ଆଲମିରାକୁ ଭଙ୍ଗାଯାଇ କାଗଜପତ୍ର ଯାଞ୍ଚ କରାଯାଇଛି। ଏଥିସହ ପାସ୍‌ବୁକ୍‌କୁ ନୂତନ ଭାବେ ଯୋଗଦେଇଥିବା ପିଇଓ ନିରଞ୍ଜନ ରଥଙ୍କୁ ହସ୍ତାନ୍ତର କରାଯାଇଛି। ସେହିଭଳି ତାଙ୍କ ସରକାରୀ କ୍ୱାର୍ଟର୍ସକୁ ଅଧିକାରୀମାନେ ଯାଇ କାଗଜପତ୍ର ଯାଞ୍ଚ କରୁଥିବା ସୂଚନା ମିଳିଛି।

ପ୍ରକାଶଯୋଗ୍ୟ, ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ବିଧାନସଭାରେ ତୁମ୍ବୀତୋଫାନ ଚାଲିଛି। ଉଭୟ ଭାଜପା ଏବଂ କଂଗ୍ରେସ ଏହାର ସିବିଆଇ ତଦନ୍ତ ଦାବି କରୁଛନ୍ତି। ସେ ଜଣେ ସରକାରୀ କର୍ମଚାରୀ ହୋଇଥିବା ସତ୍ତ୍ୱେ ସରକାର ଘଟଣାକୁ ନେଇ କାହିଁକି ଚୁପ୍‌ ବୋଲି ବିରୋଧୀ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି।

Share