Advertisement
Categories: Home Leftଖେଳ

ଭଜିଙ୍କୁ ଖେଳରତ୍ନ ନ ମିଳିବା ପ୍ରସଙ୍ଗ: ତଦନ୍ତ ନିର୍ଦ୍ଦେଶ ଦେଲେ କ୍ରୀଡ଼ାମନ୍ତ୍ରୀ

ଚଣ୍ଡିଗଡ଼,୩୧।୭(ପି.ଟି.)- ପୂର୍ବତନ ଅଫ୍‌ ସ୍ପିନର ହରଭଜନ ସିଂ (ଭଜି)ଙ୍କୁ ଚଳିତ ବର୍ଷ ରାଜୀବ ଗାନ୍ଧୀ ଖେଳରତ୍ନ ଲାଗି ପଞ୍ଜାବ ସରକାରଙ୍କ ପକ୍ଷରୁ ମନୋନୀତ କରାଯାଇଥିଲା। ହେଲେ ବିଳମ୍ବରେ ଆବେଦନ ଯୋଗୁ ତାଙ୍କ ନାମକୁ ଗ୍ରହଣ କରାଯାଇ ପାରି ନ ଥିଲା। ଜାଣିଶୁଣି ରାଜ୍ୟର କ୍ରୀଡ଼ା ବିଭାଗୀୟ ପ୍ରଶାସନ ପକ୍ଷରୁ ବିଳମ୍ବ କରାଯାଇଥିବା ଭେଟେରାନ ସ୍ପିନର ଅଭିଯୋଗ ଆଣି ପଞ୍ଜାବ କ୍ରୀଡ଼ାମନ୍ତ୍ରୀ ରାଣା ଗୁରମିତ ସିଂ ସୋଧିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏଥିଯୋଗୁ କ୍ରୀଡ଼ାମନ୍ତ୍ରୀ ସୋଧି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କ୍ରୀଡ଼ା ନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ ଏହି ତଦନ୍ତ ଚାଲିବ ବୋଲି ରାଜ୍ୟର କ୍ରୀଡ଼ାମନ୍ତ୍ରୀ କହିଛନ୍ତି। ପୂର୍ବତନ ସ୍ପିନର ଟୁଇଟରରେ ଏକ ଭିଡିଓ ଅପଲୋଡ଼ କରିଥିଲେ, ଯେଉଁଥିରେ ପଞ୍ଜାବ କ୍ରୀଡ଼ା ବିଭାଗ ଦ୍ୱାରା ମନୋନୀତ ହେବା ଲାଗି ଧାର୍ଯ୍ୟ ସମୟ ପୂର୍ବରୁ ସେ ଆବେଦନ କରିଥିବା ଦାବି କରିଛନ୍ତି। ପଞ୍ଜାବ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ପଠାଯାଇଥିବା ଫାଇଲକୁ ପ୍ରତ୍ୟାଖ୍ୟାନ କରାଯାଇଛି ବୋଲି ମୁଁ ଗଣମାଧ୍ୟମ ଦ୍ୱାରା ଜାଣିବାକୁ ପାଇଛି। ଆବେଦନରେ ବିଳମ୍ବ ଯୋଗୁ ମୋ ନାମକୁ ଗୁରୁତ୍ୱ ଦିଆଯାଇ ନ ଥିଲା। ମୁଁ କ୍ରୀଡ଼ା ବିଭାଗୀୟ କାର୍ଯ୍ୟାଳୟରେ ମାର୍ଚ୍ଚ ୨୦ ତାରିଖରେ ଆବେଦନ ପତ୍ର ଦାଖଲ କରିଥିଲି। ଏହା ଦିଲ୍ଲୀରେ ପହଞ୍ଚତ୍ବା ପାଇଁ ୧୦ରୁ ୧୫ ଦିନ ଲାଗିବା କଥା। ଏପରି ହୋଇଥିଲେ ମୁଁ ସମ୍ଭବତଃ ପୁରସ୍କାର ପାଇଥାନ୍ତି। ତେବେ କେଉଁ କାରଣରୁ ଏହା ସମୟ ପୂର୍ବରୁ ଦାଖଲ ହୋଇପାରିଲା ନାହିଁ ମୁଁ ଜାଣିପାରୁନି। ଯଦି ଏଭଳି ଜାରି ରୁହେ, ତେବେ ଖେଳାଳିମାନେ ପଛରେ ରହିଯିବେ। ମୁଁ ଆଶା କରୁଛି ସୋଧି ଏ ସମ୍ପର୍କରେ ପଦକ୍ଷେପ ନେବେ ବୋଲି ଭଜି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel