ଭଡ଼ାଘରୁ ମୃତଦେହ ଉଦ୍ଧାର, ପଥରରେ ଛେଚି ହତ୍ୟା ସନ୍ଦେହ

ଝାରସୁଗୁଡ଼ା ଅଫିସ/ଲଖନପୁର,୧୨ା୮(ଡି.ଏନ୍‌.ଏ.): ଝାରସୁଗୁଡା ଜିଲା ବିଟିଏମ୍‌ ଫାଣ୍ଡି ଅଧୀନ ଏକାତାଳି ଗ୍ରାମର ଏକ ଭଡ଼ାଘରୁ ସୋମବାର ସ୍ଥାନୀୟ ପୋଲିସ ଏକ ମୃତଦେହ ଉଦ୍ଧାର କରିଛି। ମୃତକ ପଶ୍ଚିମବଙ୍ଗ ମୁର୍ସିଦାବାଦର ଫାଶିଦୁଲ ରେହେମନ(୩୨)ବୋଲି ଜଣାପଡିଛି।
ପ୍ରକାଶ ଯେ, ଗତ କିଛି ମାସହେବ ଫାଶିଦୂଲ ଏକାତାଳି ଗ୍ରାମ ଢିପୁପଡ଼ାରେ ଏକ ଭଡ଼ାଘରେ ୭ ଶ୍ରମିକଙ୍କ ସହ ମିଶି ରହୁଥିଲେ। ଫାଶିଦୁଲ ଠିକାଦାର ଭାବେ ଆଖପାଖରେ ଘର ନିର୍ମାଣ କରୁଥିଲେ। ଗତ କିଛିଦିନହେବ ଶ୍ରମିକମାନେ ସେଠାରେ ନ ରହି ଅନ୍ୟତ୍ର ରହୁଛନ୍ତି । ମାତ୍ର ପୂର୍ବ ଭଡ଼ାଘରୁ ପଚାଗନ୍ଧ ହେଉଥିବା ଜାଣି ଆଖପାଖ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଗ୍ରାମରେ ପହଞ୍ଚି ତଦନ୍ତ ଚଳାଇଛି । ପୋଲିସ ଅନୁମାନ କରୁଛି ଠିକାଦାର ଓ ଶ୍ରମିକଙ୍କ ମଧ୍ୟରେ କୌଣସି କଥାକୁନେଇ ଝଗଡ଼ା ହୋଇଥିଲା। ଫଳରେ କେହି ଦୁର୍ବୃତ୍ତ ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିବା ଅନୁମାନ କରାଯାଉଛି । ପୋଲିସ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।