ଭଡ଼ାଟିଆଙ୍କୁ ବିଦା କରିପାରିବେନି ଘର ମାଲିକ

ଭୁବନେଶ୍ୱର,୧୯।୩ (ବ୍ୟୁରୋ): ଭୁବନେଶ୍ୱରରୁ ଓଡ଼ିଶାର ପ୍ରଥମ କରୋନା ଭାଇରସ ସଂକ୍ରମିତ ଚିହ୍ନଟ ହେବା ପରଠାରୁ ସହରବାସୀ ଆତଙ୍କିତ ହୋଇପଡିଛନ୍ତି। ଏଥିସହ ସରକାରୀ ସ୍ତରରେ କଟକଣା ଓ ସଚେତନତାକୁ ତ୍ୱରାନ୍ବିତ କରାଯାଇଛି। କେତେକ ଶିକ୍ଷାନୁଷ୍ଠାନ ହଷ୍ଟେଲକୁ ମଧ୍ୟ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିସ୍ଥଳେ କଟକ ଓ ଭୁବନେଶ୍ୱର ଦ୍ୱୈତନଗରୀରେ ଘର ଭଡ଼ା ଦେଇଥିବା ମାଲିକମାନେ ଭଡ଼ାଟିଆଙ୍କ ପ୍ରତି ଭିନ୍ନ ଆଭିମୁଖ୍ୟ ପୋଷଣ କରୁଥିବା ଦେଖିବାକୁ ମିଳିଛି। କିଛି ଭଡାଟିଆଙ୍କୁ ମାଲିକମାନେ ଦେଇଥିବା ସମୟ ମୁତାବକ ଘର ଖାଲି କରିବାକୁ ଧମକ ଦେଉଛନ୍ତି। ଏନେଇ କେତେଜଣ ଭଡାଟିଆ ପୋଲିସ କମିଶନରଙ୍କ ନିକଟରେ ବୁଧବାର ଅଭିଯୋଗ ଆଣିଛନ୍ତି। ପୋଲିସ କମିଶନର ଡ. ସୁଧାଂଶୁ ଷଡଙ୍ଗୀ ଏହା ଉପରେ କଡ଼ା ଅଭିମୁଖ୍ୟ ଗ୍ରହଣ କରିଛନ୍ତି। ସେ କହିଛନ୍ତି, କରୋନାକୁ ନେଇ ଘର ମାଲିକ ଓ ଭଡ଼ାଟିଆ ଭୟଭୀତ ହେବାର ଆବଶ୍ୟକତା ନାହିଁ। ମାଲିକମାନେ କୌଣସି ପରିସ୍ଥିତିରେ ଭଡ଼ାଟିଆଙ୍କୁ ବିଦା କରିପାରିବେ ନାହିଁ। ଯଦି କେହି ଘର ମାଲିକ ଭଡାଟିଆଙ୍କୁ ବଳପୂର୍ବକ ବିଦା କରନ୍ତି, ତେବେ ଥାନାରେ ଅଭିଯୋଗ ହେଲେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କମିଶନର ଷଡଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି।

Share