ଭଡ଼ାରେ ଲାଗିଛି କୃଷକ ବଜାରରେ ଥିବା ଦୋକାନ

ଝୁମ୍ପୁରା, ୧୩।୮ (ଡି.ଏନ.ଏ.)- ହାଟବାଟରେ ବସୁଥିବା କ୍ଷୁଦ୍ରଚାଷୀ ତଥା ବ୍ୟବସାୟୀଙ୍କୁ ଜୀବିକା ନିର୍ବାହ ଲାଗି କାର୍ଯ୍ୟକାରୀ ହେଉଥିବା କୃଷକ ବଜାର ନିର୍ମାଣ ଯୋଜନା ଦିଗହରା ହୋଇପଡିଛି। କେନ୍ଦୁଝର ଜିଲା ଚମ୍ପୁଆ ଅଞ୍ଚଳରେ ନିର୍ମିତ ଦୋକାନ ଘରକୁ କେତେକେ ବ୍ୟବସାୟୀ ହାତେଇ ଭଡାରେ ଲଗାଇଥିବା ଅଭିଯୋଗ ହେବା ପରେ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଅଥଚ ଝୁମ୍ପୁରା ଡେଲି ମାର୍କେଟ ଏବଂ ସାପ୍ତାହିକ ହାଟକୁ କୃଷିଜାତ ଦ୍ରବ୍ୟ ଓ ପନିପରିବା ବିକିବାକୁ ଆସୁଥିବା ଚାଷୀଙ୍କଠାରୁ ନିୟନ୍ତ୍ରିତ ବଜାର ପରିଷଦ (ଆରଏମସି) ମାହାସୁଲ ଆଦାୟ କରୁଥିଲେ ବି ସେମାନଙ୍କୁ ଏଯାଏ ଦୋକାନ ଘର ଯୋଗାଇ ପାରୁ ନାହିଁ ା
କ୍ଷୁଦ୍ର ବ୍ୟବସାୟୀଙ୍କ ଲାଗି ସ୍ଥାନୀୟ ଆରଏମସି ଏବଂ ଝୁମ୍ପୁରା ପଞ୍ଚାୟତ ଅଧୀନରେ ବଜାର ଅଞ୍ଚଳରେ ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ଦୋକାନ ଗୃହ ନିର୍ମାଣ କରାଯାଇଛି। ଏସବୁ ଦୋକାନ ଗୃହ ଆବଣ୍ଟନ ବେଳେ ଅନିୟମିତତା ହୋଇଥିବା ନେଇ କେତେକ କ୍ଷୁଦ୍ର ବ୍ୟବସାୟୀ ଚମ୍ପୁଆସ୍ଥିତ ଆରଏମସି କାଯର୍‌ୟାଳୟର ଅଭିଯୋଗକରିବା ସହ କୃଷକ ବଜାରର ପରିମଳ ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯାଉ ନ ଥିବା ଦର୍ଶାଇଛନ୍ତି। ଅନ୍ୟପକ୍ଷେ ଗୋଟିଏ ଗୋଟିଏ ପରିବାର ୪ରୁ ଊର୍ଦ୍ଧ୍ୱ ଲୋକଙ୍କ ନାମରେ ଦୋକାନ ଘର ଦିଆଯାଇଥିବାରୁ ସେମାନେ ନିଜେ ବ୍ୟବସାୟ ନ କରି ଭଡା ଲଗାଇ ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି। ସେହିପରି କେତେକ ବ୍ୟବସାୟୀ ପାଇଥିବା ନିଜ ପ୍ଲଟର ସମ୍ମୁଖ ପାର୍ଶ୍ୱ ରାସ୍ତାକୁ ଜବରଦଖଲ କରି ବେନିୟମ ଭାବେ ନିର୍ମାଣ କାର୍ଯ୍ୟ କରିଥିବା ଦେଖିବାକୁ ମିଳିଛି। ଏସବୁର ଉଚ୍ଚସ୍ତରୀୟ ତଦନ୍ତ ହେଲେ ପ୍ରକୃତ କଥା ପଦାକୁ ଆସନ୍ତା ବୋଲି କ୍ଷୁଦ୍ର ବ୍ୟବସାୟୀମାନେ ଦାବି କରିଛନ୍ତି।
ଉଲ୍ଲେଖନୀୟ ଯେ, ସ୍ଥାନୀୟ ବ୍ଲକ ରୋଡରେ ଥିବା ଝୁମ୍ପୁରା କୃଷକ ବଜାର ପରିସରରେ ନୂତନ ଭାବେ ନିର୍ମାଣ ହୋଇଥିବା ଦୋକାନ ଘର ଭଡାରେ ଲଗାଯିବା ସମ୍ପର୍କରେ ଚମ୍ପୁଆସ୍ଥିତ ଆରଏମସିର ସମ୍ପାଦକ ତଥା ସରକାରଙ୍କ ବରିଷ୍ଠ ଅଧିକାରୀ ସପନ କୁମାର ସାହୁଙ୍କୁ ପଚାରିବାରୁ ସେ କହିଲେ, ଅଭିଯୋଗ ମିଳିଛି। ଏହାର ତଦନ୍ତ କରାଯିବ। କେହି ଦୋକାନ ଘର ନେଇ ଭଡାରେ ଲଗାଇଥିବା ଜଣାପଡିଲେ, ସମ୍ପୃକ୍ତ ହିତାଧିକାରୀଙ୍କ ଚୁକ୍ତିନାମା ପ୍ରତ୍ୟାହାର କରାଯିବ।

Share