ଭଡ଼ାରେ ଲାଗିଥିଲା ପଞ୍ଚାୟତ କାର୍ଯ୍ୟାଳୟ : ବିଡିଓଙ୍କ ଉପସ୍ଥିତିରେ ଖାଲିହେଲା ଘର

ନାଉଗାଁ,୩୧ା୭(ସ୍ବ.ପ୍ର.): ନାଉଗାଁ ପଞ୍ଚାୟତ କାର୍ଯ୍ୟାଳୟକୁ ଦୀର୍ଘ ୬ ବର୍ଷ ହେଲା ଭଡ଼ା ସୂତ୍ରରେ ପ୍ରଦାନ କରାଯାଇଥିଲା। ଜଣେ ବ୍ୟବସାୟୀ ସେଠାରେ ସିମେଣ୍ଟ, ରଡ୍‌, ସାର ଆଦି ରଖି ବ୍ୟବସାୟ କରୁଥିଲେ। ଏ ସମ୍ପର୍କରେ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ମଙ୍ଗଳବାର ବିଡିଓଙ୍କ ଉପସ୍ଥିତିରେ ଉକ୍ତ କାଯର୍‌ୟାଳୟ ଖାଲି କରାଯିବା ସହ ପ୍ରଶାସନ ପକ୍ଷରୁ ତାଲା ପକାଯାଇଛି। ସମ୍ପୃକ୍ତ ବ୍ୟବସାୟୀ ଉକ୍ତ ଗୃହରେ ୨୦୦ ବସ୍ତା ସିମେଣ୍ଟ, ୪୦୦ ବସ୍ତାରୁ ଊର୍ଦ୍ଧ୍ୱ ସାର ଓ ଲୁହା ରଡ୍‌ ଗଚ୍ଛିତ ରଖିଥିଲେ। ବିଡିଓ ରଶ୍ମିରେଖା ମଲ୍ଲିକ, ଥାନା ଅଧିକାରୀ ପ୍ରଜ୍ଞା ରିତାମ୍ବର କର, ଜିପିଓ ଦିନେଶ ରାୟ, ଏପିଓ ଜ୍ୟୋତିର୍ମୟ ନାୟକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଅମର ମଲିକଙ୍କ ଉପସ୍ଥିତିରେ ଉକ୍ତ ଗୃହ ଖାଲି କରାଯାଇଥିଲା। ସୂଚନାଯୋଗ୍ୟ, ଉକ୍ତ ପଞ୍ଚାୟତର ରାଜୀବ ଗାନ୍ଧୀ ସେବାକେନ୍ଦ୍ର ନିର୍ମାଣ ପରେ ପଞ୍ଚାୟତ କାର୍ଯ୍ୟାଳୟ ସେଠାକୁ ସ୍ଥାନାନ୍ତର ହୋଇଥିଲା। ସେବେଠାରୁ ପଞ୍ଚାୟତ କାର୍ଯ୍ୟାଳୟ ଓ ଗୋଦାମ ଗୃହ ଭଡ଼ାରେ ଦିଆଯାଇଥିଲା। ବିନା ନିଲାମୀରେ ଉକ୍ତ ସରକାରୀ ଗୃହ କିପରି ଜଣେ ବ୍ୟବସାୟୀଙ୍କୁ ଭଡ଼ାରେ ଦିଆଯାଇଥିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ସେହିପରି ବଜାର ମଧ୍ୟରେ ଘର ଭଡ଼ା ଅଧିକ ଥିବାବେଳେ ପଞ୍ଚାୟତ ଅଫିସ ଘର ଅଳ୍ପ ମୂଲ୍ୟରେ ଭଡ଼ାରେ ଦେଇ ପଞ୍ଚାୟତ ପ୍ରତିନିଧି ସମ୍ପୃକ୍ତ ବ୍ୟବସାୟୀଙ୍କଠାରୁ ବ୍ୟକ୍ତିଗତ ଭାବେ ଅଧିକ ଟଙ୍କା ନେଉଥିବା ଚର୍ଚ୍ଚା ହୋଇଥିଲା। ଏନେଇ ଅଭିଯୋଗ ହେବା ପରେ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଘର ଖାଲି କରିବା ନିମନ୍ତେ ୪ ଥର ନୋଟିସ ଜାରି କରାଯାଇଥିଲା। କିନ୍ତୁ ସେ ଘର ଖାଲି ନ କରିବାରୁ ବିଡିଓ ମଲିକ ଏକ ଜରୁରୀକାଳୀନ ବୈଠକ ଡକାଇ ୭ ଦିନିଆ ନୋଟିସ ପ୍ରଦାନ କରିଥିଲେ। ଗତ ୨୬ ଜୁଲାଇରେ ଘର ଖାଲି କରିବାର ଶେଷ ଦିନ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ବ୍ୟବସାୟୀ ଜଣଙ୍କ ଘର ଖାଲି ନ କରିବାରୁ ପ୍ରଶାସନ ପକ୍ଷରୁ ପୋଲିସ ସହାୟତାରେ ଘର ଖାଲି କରାଯାଇଛି। ଏ ସମ୍ପର୍କରେ ବିଡିଓ ମଲ୍ଲିକ କହିଛନ୍ତି ଯେ, ପୂର୍ବରୁ ତାଙ୍କୁ ନୋଟିସ ପ୍ରଦାନ କରାଯାଇଥିଲା। ସେ ଘର ଖାଲି ନ କରିବାରୁ ପୁନର୍ବାର ୭ ଦିନିଆ ନୋଟିସ ପ୍ରଦାନ କରାଯାଇଥିଲା। ତଥାପି ସେ ଗୃହ ଖାଲି କରି ନଥିଲେ। ତେଣୁ ପ୍ରଶାସନ ତରଫରୁ ତାଲା ଭଙ୍ଗାଯାଇ ଗୃହ ଖାଲି କରାଗଲା। ଉକ୍ତ ଘର କିପରି ଭଡ଼ାରେ ଦିଆଯାଇଥିଲା ସେ ସମ୍ପର୍କରେ ତଦନ୍ତ କରାଯାଇ କାଯର୍‌ୟାନୁଷ୍ଠାନ ଗ୍ରହଣ କରାଯିବ।

Share