ଭଡ଼ା ଟଙ୍କା ଆଦାୟରେ ଅନିୟମିତତା: ଭିଜିଲାନ୍ସ ଏସ୍‌ପିଙ୍କ ନିକଟରେ ଅଭିଯୋଗ

ପୁରୀ ଅଫିସ,୧୪ା୯ : ପୁରୀ ଗୋପବନ୍ଧୁ ଆର୍ୟୁବେଦ କଲେଜ ଓ ଚିକିତ୍ସାଳୟ ପରିସରରେ ରହିଥିବା କନ୍‌ଫ୍ରେନ୍ସ ହଲର ଭଡ଼ା ଆଦାୟରେ ଲକ୍ଷାଧିକ ଟଙ୍କା ହେରଫେର ହୋଇଥିବା ନେଇ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଛି। ଏନେଇ କଲେଜ କର୍ତ୍ତୃପକ୍ଷଙ୍କ ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ଏହି ଘଟଣାର ନିରପେକ୍ଷ ତଦନ୍ତ ଲାଗି ସଚେତନ ନାଗରିକ ମଞ୍ଚ ସଭାପତି ପ୍ରସନ୍ନ କୁମାର ଦାଶ ଭୁବନେଶ୍ୱର ଦୁର୍ନୀତି ନିବାରଣ ଏସ୍‌ପିଙ୍କ ନିକଟରେ ଶୁକ୍ରବାର ଅଭିଯୋଗ କରିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି ଯେ, ୨୦୧୫ରେ ଏହି କନଫ୍ରେନ୍ସ ହଲ୍‌ ନିର୍ମାଣ ହୋଇଥିଲା। ଏହାର ଦାୟିତ୍ୱ କଲେଜ ଅଧୀନରେ ରହିଛି। ତେବେ ଗତ ୪ବର୍ଷ ମଧ୍ୟରେ ଘରୋଇ ଅନୁଷ୍ଠାନକୁ କାର୍ଯ୍ୟକ୍ରମ ଆୟୋଜନ ଲାଗି ଭଡା ବାବଦକୁ ଆଦାୟ ଟଙ୍କାରେ ବ୍ୟାପକ ଅନିୟମିତତା କରାଯାଇଛି। ଆଦାୟ ହେଉଥିବା ଟଙ୍କା କେଉଁ ହେଡରେ ଜମା କରାଯାଉଛି। ଆଦାୟ ଅର୍ଥ କେଉଁ ବାବଦରେ ଖର୍ଚ୍ଚ କରାଯାଉଛି, ନିର୍ମାଣ ହେବା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କେତୋଟି ଅନୁଷ୍ଠାନକୁ ଭଡା ଦିଆଯାଇଛି, ଏ ବାବଦକୁ କେତେଟଙ୍କା ଆଦାୟ କରାଯାଇଛି, ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଲାଗି ଦାବି କରିଛନ୍ତି।

Share