Categories: ବାଣିଜ୍ୟ

ଭଡା ବଢାଇଲା ରେଲଓ୍ବେ

ନୂଆଦିଲ୍ଲୀ,୧-୧: ଭାରତୀୟ ରେଳପଥ ପକ୍ଷରୁ ନୂଆ ବର୍ଷରେ ଯାତ୍ରୀ ଭଡା ବୃଦ୍ଧି ସମ୍ପର୍କରେ ଘୋଷଣା କରାଯାଇଛି। ରେଳପଥର ସମସ୍ତ ନେଟଓ୍ବର୍କରେ ଏହାକୁ ଜାନୁୟାରୀ ପହିଲାରୁ କାର୍ଯ୍ୟକାରୀ ହେବ। ସବର୍ବାନ ଟ୍ରେନଗୁଡିକ ଲାଗି ଭଡା ବୃଦ୍ଧି କରାଯାଇ ନ ଥିବା ଜଣାପଡିଛି। ସବର୍ବାନ ଫେୟାର ଅପରିବର୍ତ୍ତିତ ରହିଥିବା ବେଳେ ସାଧାରଣ ଅଣଏସି ଏବଂ ଅଣସବର୍ବାନ ରେଳଯାତ୍ରୀ ଭଡା କିମି ପିଛା ୧ ପଇସା ବୃଦ୍ଧି ଘଟିଛି। ମେଲ ଏବଂ ଏକ୍ସପ୍ରେସ ଅଣ ଏସି ଟ୍ରେନଗୁଡିକରେ କିମି ପିଛା ୨ ପଇସା ଭଡା ବଢିଛି। ଏସି ଶ୍ରେଣୀ ଲାଗି କିମି ପିଛା ୪ ପଇସା ଭଡା ବୃଦ୍ଧି ହୋଇଛି। ଶତାଦ୍ଦୀ, ରାଜଧାନୀ ଏବଂ ଦୁରନ୍ତୋ ଭଳି ପ୍ରିମିୟମ ଟ୍ରେନଗୁଡିକ ଲାଗି ମଧ୍ୟ ଯାତ୍ରୀ ଭଡା ବଢାଯାଇଥିବା ରେଲଓ୍ବେ ପକ୍ଷରୁ ସୂଚନା ରହିଛି। ଦିଲ୍ଲୀ-କୋଲକତା ମଧ୍ୟରେ ଚାଲୁଥିବା ରାଜଧାନୀ ଏକ୍ସପ୍ରେସର କିମି ପିଛା ଭଡା ୪ ପଇସା ବୃଦ୍ଧି ଘଟିଛି। ଏଥି ପାଇଁ ଯାତ୍ରୀ ପ୍ରାୟ ୫୮ ଟଙ୍କା ଅଧିକ ଦେବାକୁ ହେବ। ଏହାବାଦ ସଂରକ୍ଷଣ ଏବଂ ସୁପରଫାଷ୍ଟ ଚାର୍ଜରେ କୌଣସି ବୃଦ୍ଧି କରାଯାଇନାହିଁ। ବୁକ୍‌ ହୋଇ ସାରିଥିବା ଟିକେଟରେ ଦର ବୃଦ୍ଧି ଲାଗୁ ହେବ ନାହିଁ ବୋଲି ରେଳପଥ ପ୍ରକାଶ କରିଛି।

Share