ଭତ୍ତା ପାଇଁ ଏପ୍ରିଲରୁ ଆଧାର ଜରୁରୀ

ଭୁବନେଶ୍ୱର,୨ା୧(ବ୍ୟୁରୋ) : ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଶନ ପାଇବାକୁ ଓ ଧାନ ବିକିବା ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯାଇଛି। ଏବେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନ୍‌ଏସ୍‌ଏପି) ଏବଂ ମଧୁବାବୁ ପେନ୍‌ସନ ଯୋଜନା(ଏମ୍‌ବିପିୱାଇ)ରେ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ମଧ୍ୟ ଆଧାର ସଂଯୋଗ କରିବାକୁ ପଡ଼ିବ। ଆସନ୍ତା ଏପ୍ରିଲ ପହିଲା ସୁଦ୍ଧା ହିତାଧିକାରୀଙ୍କ ଶତ ପ୍ରତିଶତ ଆଧାର ସଂଯୋଗ କରିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ (ଏସ୍‌ଏସ୍‌ଇପିଡି) ସଚିବ ଭାସ୍କରଜ୍ୟୋତି ଶର୍ମା ବୁଧବାର ସମସ୍ତ ଜିଲାପାଳଙ୍କୁ ଏ ନେଇ ଚିଠି ଲେଖିଛନ୍ତି।
ଚିଠିରେ ଉଲ୍ଲେଖ କରାଯାଇଛି ଯେ, ୨୦୧୯ ଅକ୍ଟୋବର ସୁଦ୍ଧା ଉକ୍ତ ଯୋଜନାରେ ୧୦୦% ହିତାଧିକାରୀଙ୍କ ଆଧାର ସଂଯୋଗ କରିବାକୁ ସମୟ ଧାର୍ଯ୍ୟ କରାଯାଇଥିଲା। ସେଥିରୁ ଏନ୍‌ଏସ୍‌ଏପି କ୍ଷେତ୍ରରେ ୯୧% ଏବଂ ଏମ୍‌ବିପିଓ୍ବାଇ କ୍ଷେତ୍ରରେ ୭୩% ଆଧାର ଲିଙ୍କ୍‌ କରାଯାଇଛି। ଚଳିତ ମାସ ୧୫ ତାରିଖରେ ଯେଉଁ ହିତାଧିକାରୀଙ୍କ ଆଧାର କାର୍ଡ ସଂଯୋଗ ହୋଇ ନ ଥିବ ସେମାନଙ୍କୁ ଆଉ ମାସେ ଅର୍ଥାତ ଫେବୃୟାରୀ ୧୫ ସୁଦ୍ଧା ସଂଯୋଗ କରିବାକୁ କୁହାଯାଇଛି। ଯେଉଁ ହିତାଧିକାରୀମାନଙ୍କ ଆଧାର ସଂଯୋଗ ହୋଇନାହିଁ, ସେମାନଙ୍କର ଏକ ବ୍ଲକଓ୍ବାରୀ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି। ୨୦୨୦ ଜାନୁୟାରୀ ୩୧ ସୁଦ୍ଧା ହିତାଧିକାରୀମାନଙ୍କ ସମସ୍ତ ତଥ୍ୟ ସଂଗ୍ରହ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନ୍‌ଏସ୍‌ଏପି ଏବଂ ଏମ୍‌ବିପିୱାଇରେ ନୂଆ ହିତାଧିକାରୀ ଚୟନ ବେଳେ ଆଧାର ଯାଞ୍ଚ ସହ ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ୧୦୦% ଆଧାର ସଂଯୋଗ କରିବାକୁ କୁହାଯାଇଛି। ୨୦୨୦ ଏପ୍ରିଲ ପହିଲାରୁ ଆଧାର ସଂଯୋଗ ବାଧ୍ୟତାମୂଳକ କରାଯିବ। ଆଧାର ସଂଯୋଗ ହୋଇ ନ ଥିଲେ ଭତ୍ତା ଅର୍ଥ ପ୍ରଦାନ କରାଯିବ ନାହିଁ ବୋଲି ବିଭାଗ ପକ୍ଷରୁ ଜିଲାପାଳମାନଙ୍କୁ ଅବଗତ କରାଯାଇଛି।

Share