ଭଦ୍ରକକୁ ଆସିବେ ୩୨ ହଜାର ପ୍ରବାସୀ

ଭଦ୍ରକ ଅଫିସ, ୩୦ା୪: ଭଦ୍ରକ ଜିଲାକୁ ଫେରିବେ ୩୨ ହଜାର ପ୍ରବାସୀ। ଘରକୁ ଫେରିବା ପାଇଁ ଏମାନେ ନିଜ ନାମ ଅନ୍‌ଳାଇନ୍‌ରେ ପଞ୍ଜୀକରଣ କରିସାରିଛନ୍ତି। ପ୍ରବାସୀମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ଓ ସଂଗରୋଧ କେନ୍ଦ୍ରରେ ରହଣୀ ଆଦି ପ୍ରସ୍ତୁତି ସମ୍ପର୍କରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୂଚନା ମୁତାବକ, ଜିଲାରେ ୭ଟି ବ୍ଲକର ୨୧୮ଟି ପଞ୍ଚାୟତକୁ ଆସିବା ନିମନ୍ତେ ୩୦ ହଜାର ୫୫୬ ଜଣ ନାମ ପଞ୍ଜିକରଣ କରିଥିବା ବେଳେ ଜିଲାର ୨ଟି ପୌରାଞ୍ଚଳ ଓ ୨ଟି ଏନ୍‌ଏସିର ୭୯ଟି ୱାର୍ଡକୁ ଫେରିବା ପାଇଁ ୧୭୭୪ ଜଣ ନାମ ପଞ୍ଜିକରଣ କରିଛନ୍ତି। ଏସବୁକୁ ମିଶାଇ ମୋଟ ୩୨ ହଜାର ୧୩୦ ଜଣ ନାମ ପଞ୍ଜିକରଣ କରିଥିବା ଜଣାପଡ଼ିଛି। ଏମାନଙ୍କର ସୁରକ୍ଷା ଦାୟିତ୍ୱ ଜିଲାର ୫ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଉପରେ ନ୍ୟସ୍ତ କରାଯାଇଛି । ଭଦ୍ରକ ବ୍ଲକ ଓ ପୌରାଞ୍ଚଳ ଦାୟିତ୍ୱ ଅତିରିକ୍ତ ଜିଲାପାଳ(ସାଧାରଣ) ଶ୍ୟାମଭକ୍ତ ମିଶ୍ରଙ୍କୁ ଦିଆଯାଇଥିବା ବେଳେ ଅତିରିକ୍ତ ଜିଲାପାଳ(ରାଜସ୍ବ) ଅରୁଣ ମହାପାତ୍ରଙ୍କୁ ଚାନ୍ଦବାଲି ବ୍ଲକ ସହ ଏନ୍‌ଏସି ଓ ତିହିଡ଼ି ବ୍ଲକର ଦାୟିତ୍ୱ ଦିଆଯାଇଛି। ଧାମନଗର ବ୍ଲକ, ଏନ୍‌ଏସି ଓ ଭଣ୍ଡାରିପୋଖରୀ ବ୍ଲକ ପାଇଁ ଉପଜିଲାପାଳ ପୀତାମ୍ବର ସାମଲ, ବାସୁଦେବପୁର ବ୍ଲକ ଓ ପୌରାଞ୍ଚଳ ପାଇଁ ପିଡି ଡିଆର୍‌ଡିଏ ମଧୁସୂଦନ ଦାସ ଓ ବନ୍ତ ବ୍ଳକ ପାଇଁ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ପଣ୍ଡାଙ୍କୁ ଦାୟିତ୍ୱ ଦିଆଯାଇଛି। ଯେହେତୁ ଏତେସଂଖ୍ୟକ ଲୋକ ବାହାର ରାଜ୍ୟରୁ ଆସିବେ, ସେଥିପାଇଁ ସବୁ କାମ ଶୃଙ୍ଖଳିତ ଢଙ୍ଗରେ କରିବାକୁ ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ ଗୁରୁତ୍ୱାରୋପ କରିଛନ୍ତି। ପ୍ରବାସୀମାନେ ଭଦ୍ରକ ଫେରିବା ପରେ ନିଜ ପଞ୍ଚାୟତ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ରହିବେ। ସେଠାରେ ସମସ୍ତଙ୍କର ସ୍ବାସ୍ଥ୍ୟ ପରୀକ୍ଷା ସହ ରକ୍ତନମୁନା ସଂଗ୍ରହ କରାଯିବ ବୋଲି ସୂଚନା ରହିଛି। ଜିଲାପାଳଙ୍କ ସମ୍ମିଳନୀ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Share