ଭଦ୍ରକରେ ଅନ୍ତର୍ଜାତୀୟ ମାନବାଧିକାର ସମିତିର ରାଜ୍ୟ ସଭାପତି: ଗେଷ୍ଟ ହାଉସ୍‌ରୁ ୨ ମୃତଦେହ ଉଦ୍ଧାର ଘଟଣାର ନିରପେକ୍ଷ ତଦନ୍ତ ଦାବି

ଭଦ୍ରକ ଅଫିସ, ୧୭।୫ : ଶୁକ୍ରବାର ଅନ୍ତର୍ଜାତୀୟ ମାନବାଧିକାର ସମିତିର ରାଜ୍ୟ ସଭାପତି ସସ୍ମିତା ଦାସ ଭଦ୍ରକ ଗସ୍ତରେ ଆସି ସାଳନ୍ଦୀ ଗେଷ୍ଟହାଉସ୍‌ରୁ ୨ ମୃତଦେହ ଉଦ୍ଧାର ଘଟଣାର ତଦନ୍ତ କରି ଫେରିଛନ୍ତି। ସେ ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କୁ ଭେଟି ଏହି ଘଟଣାରେ ବିଭାଗୀୟ ଅଧିକାରୀ ତତ୍ପରତା ପ୍ରକାଶ କରି ତୁରନ୍ତ ନିରପେକ୍ଷ ତଦନ୍ତ କରିବା ପାଇଁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଗେଷ୍ଟହାଉସ୍‌ରେ ପୂର୍ବରୁ ୨ଟି ବଡ଼ ବଡ଼ ଘଟଣା ଘଟିଯାଇଥିଲେ ମଧ୍ୟ ପୋଲିସ କିଭଳି ଉକ୍ତ ଗେଷ୍ଟହାଉସ୍‌କୁ କଳା ତାଲିକା ଭୁକ୍ତ କରି ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ଗେଷ୍ଟହାଉସ୍‌, ହୋଟେଲ ଓ ଲଜ୍‌ଗୁଡ଼ିକରେ ସିସିଟିଭି ଲଗାଯାଉ ନ ଥିବାରୁ ନାବାଳିକାମାନଙ୍କୁ ଅଣାଯାଇ ସେଠାରେ ସେମାନଙ୍କୁ ଅସାମାଜିକ କାର୍ଯ୍ୟରେ ନିୟୋଜିତ କରାଯାଉଛି। ଏଥିପ୍ରତି ପୋଲିସ ତୁରନ୍ତ ଦୃଷ୍ଟି ଦେଉ ବୋଲି ଦାବି ହୋଇଛି। ୨୦୧୮ ଜୁନ୍‌ ୧୮ରେ ଉକ୍ତ ଗେଷ୍ଟହାଉସ୍‌ରେ ୨ ନାବାଳିକାଙ୍କୁ ବଳାତ୍କାର କରାଯାଇଥିଲା। ସେହି ସମୟରେ ଗେଷ୍ଟହାଉସ୍‌କୁ ପୋଲିସ କାହିଁକି ସିଲ୍‌ କଲା ନାହିଁ ବୋଲି ସେ ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି। ତେବେ ଚଳିତ ମାସର ୨ ମୃତଦେହ ଉଦ୍ଧାର ଘଟଣାରେ ମୃତ ନାବାଳିକା ଜଣଙ୍କ କିଭଳି ଗେଷ୍ଟହାଉସ୍‌କୁ ଗଲେ ଓ ଗେଷ୍ଟହାଉସ୍‌ ଭିତରେ ତାଙ୍କୁ ପୂର୍ବ ଯୋଜନା ମୁତାବକ ହତ୍ୟା କରାଗଲା ଏହାର ନିରପେକ୍ଷ ତଦନ୍ତ ସହ ଗେଷ୍ଟହାଉସକୁ ସିଲ୍‌ କରାଯାଉ ବୋଲି ସେ ଦାବି କରିଛନ୍ତି। ସଭାପତି ଦାସଙ୍କ ସହ ମୃତ ନାବାଳିକାଙ୍କ ପରିବାର ଲୋକେ ବିମଳା ରାମ, ଅନୀଲ କୁମାର ଦାସ, ଉମାଶଙ୍କର ରାମ, ଅନନ୍ତ ପ୍ରସାଦ ରାମ ପ୍ରମୁଖ ଜିଲାପାଳଙ୍କୁ ଭେଟିଥିଲେ। ପ୍ରକାଶଥାଉ କି, ଗତ ୬ ତାରିଖରେ ସାଳନ୍ଦୀ ଗେଷ୍ଟହାଉସ୍‌ରୁ ଭିନ୍ନ ଭିନ୍ନ ସମ୍ପ୍ରଦାୟର ଜଣେ ଯୁବକ ଓ ଜଣେ ନାବାଳିକାଙ୍କ କ୍ଷତାକ୍ତ ମୃତଦେହ ପୋଲିସ ଉଦ୍ଧାର କରିଥିଲା। ପୋଲିସ ଏହାକୁ ଆତ୍ମହତ୍ୟାର ରୂପ ଦେଉଥିବା ବେଳେ ଉଭୟ ମୃତକଙ୍କ ପରିବାର ଲୋକେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି।

Share