ଭଦ୍ରକରେ ବୁଲ୍‌ବୁଲ ପ୍ରଭାବ: ଲାଗିରହିଛି ବର୍ଷା, ପବନ; ଦୋକାନବଜାର ବନ୍ଦ

ଭଦ୍ରକ ଅଫିସ,୯।୧୧: ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’ ଉଗ୍ରରୂପ ଧାରଣ କରିଛି। ଭଦ୍ରକ ଜିଲା ସମୁଦ୍ର ଉପକୂଳବର୍ତ୍ତୀ ଧାମରା ଓ ଚାନ୍ଦବାଲିରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ପରିସ୍ଥିତି ଉପରେ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ନଜର ରଖିଛି। ଆବଶ୍ୟକ ସ୍ଥଳେ ସମୁଦ୍ର ଉପକୂଳବର୍ତ୍ତୀ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ। ବର୍ଷା ଓ ପବନ ପ୍ରଭାବରେ ପାଚିଲା ଧାନ ଗଛ ଶୋଇଯିବା ଯୋଗୁ ଚାଷ କ୍ଷତି ହୋଇପାରେ ବୋଲି ଚାଷୀ ମନରେ ହତାଶାଭାବ ଦେଖାଦେଇଛି। ବାତ୍ୟାକୁ କିପରି ମୁକାବିଲା କରିବାକୁ ପଡ଼ିବ ସେଥିପାଇଁ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତଥିବା ଜଣାପଡ଼ିଛି। ପାହାନ୍ତାରୁ ବର୍ଷା ସାଙ୍ଗକୁ ପବନ ଲୋକଙ୍କୁ ଭୟଭୀତ କରାଇଛି। ଦୋକାନବଜାର ଖୋଲି ନ ଥିବାବେଳେ ପୋଲିସ, ଅଗ୍ନିଶମ ଓ ଓଡ୍ରାଫ ଟିମ୍‌ ସଜାଗଥିବା ଜଣାପଡ଼ିଛି।