ଭଦ୍ରକ କଲେଜରେ ଛାତ୍ର ଅଶାନ୍ତି ଜାରି

ଭଦ୍ରକ ଅଫିସ,୫ା୧୧- ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଜାରି ରହିଛି। ମଙ୍ଗଳବାର ଛାତ୍ର ଆନ୍ଦୋଳନର ୨ୟ ଦିନରେ ଶତାଧିକ ଛାତ୍ରୀଛାତ୍ର ପାଠପଢା ବର୍ଜନ କରି କଲେଜ ଫାଟକ ସମ୍ମୁଖରେ ଟାୟାର ଜାଳି ଆନ୍ଦୋଳନ କରିଥିଲେ। ସେମାନେ ମୁଖ୍ୟତଃ ପୂର୍ତ୍ତ ବିଭାଗ, ଜିଲା ପ୍ରଶାସନ ଓ କଲେଜ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରି ଏହି ଆନ୍ଦୋଳନ କରିଥିଲା। ଛାତ୍ରୀଛାତ୍ର ଦର୍ଶାଇଥିଲେ ଯେ, କଲେଜରେ ବହୁବିଧ ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାର ପ୍ରତିକାର କରାଯାଉ ନାହିଁ । ବିଭିନ୍ନ ହଷ୍ଟେଲକୁ ଯାତାୟାତ ପାଇଁ ବ୍ୟବସ୍ଥା ନ ଥିବା ବେଳେ ହଷ୍ଟେଲ ଗୁଡ଼ିକର ଆବଶ୍ୟକ ମରାମତି କରାଯାଉ ନାହିଁ । ସେହିପରି ନୂତନ ସାଇକେଲ ଷ୍ଟାଣ୍ଡ ନିର୍ମାଣ, ଶୌଚାଳୟ ଓ ଭଙ୍ଗା ଛାତର ମରାମତି ଆଦି ବିଭିନ୍ନ ଦାବିକୁ ଦୀର୍ଘବର୍ଷ ଧରି କଲେଜ କର୍ତ୍ତୃପକ୍ଷ, ଜିଲା ପ୍ରଶାସନ ଓ ପୂର୍ତ୍ତ ବିଭାଗ ଅଣଦେଖା କିର ଆସୁଛନ୍ତି। ଏ ନେଇ କଲେଜରେ ଛାତ୍ର ଅଶାନ୍ତି ମୁଣ୍ଡ ଟେକିଛି। ମଙ୍ଗଳବାର ଛାତ୍ରୀଛାତ୍ର ପ୍ରାୟ ୨ ଘଣ୍ଟା ଆନ୍ଦୋଳନ କରିବା ପରେ ଉପଜିଲାପାଳ ପୀତାମ୍ବର ସାମଲ ସେଠାରେ ପହଞ୍ଚି ସମସ୍ୟାର ତୁରନ୍ତ ସମାଧାନ କରାଯିବ ପ୍ରତିଶ୍ରୁତି ଦେବାରୁ ଛାତ୍ର ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ସେହିପରି ଅତିରିକ୍ତ ଏସ୍‌ପି କୈଳାସ ଚନ୍ଦ୍ର ପରିଡ଼ା, ଏସ୍‌ଡିପିଓ ଜଳନ୍ଧର ଜାଲି, ଟାଉନ ଥାନାଧିକାରୀ ସରୋଜିନୀ ସିଂ ପହଞ୍ଚି ଆନ୍ଦୋଳନକାରୀ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଥିଲେ। ଉଲ୍ଲେଖନୀୟ ଯେ ସୋମବାର ଛାତ୍ରୀଛାତ୍ରମାନେ ଏସବୁ ଦାବି ନେଇ ଫାଟକ ସମ୍ମୁଖରେ ଆନ୍ଦୋଳନ କରିଥିଲେ।