ଭଦ୍ରକ କାଳୀପୂଜାର ୫ମ ଦିନ: ପୂଜା ମଣ୍ଡପରେ ପ୍ରବଳ ଭିଡ଼

ଭଦ୍ରକ ଅଫିସ, ୧।୧୧ – ଭଦ୍ରକ ଐତିହାସିକ କାଳୀପୂଜା ପାଇଁ ଚରମ୍ପା ଅଞ୍ଚଳ ଝଲସୁଛି। ଗୁରୁବାର ଥିଲା ପୂଜାର ୫ମ ଦିନ। ଲକ୍ଷାଧିକ ଜନସମାଗମକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ନାକେଦମ୍‌ ହେବାକୁ ପଡ଼ିଛି। ପୂର୍ବାହ୍ନରୁ ବିଭିନ୍ନ ପୂଜା ମଣ୍ଡପରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିଲା। ପାଗ ଅନୁକୂଳ ଥିବା କାରଣରୁ ବ୍ୟବସାୟୀ ଓ ଆୟୋଜକଙ୍କ ମନରେ ଖୁସି କହିଲେ ନ ସରେ। ପଥରକାଳୀ ଅପେରା ପ୍ରଦର୍ଶନ ପଡ଼ିଆ ନିକଟରେ ଯୁବପିଢ଼ିଙ୍କ ପ୍ରବଳ ଭିଡ଼ ଜମିଥିଲା। ସେହିପରି ପୁରୁଣା ଓଏସ୍‌ଆର୍‌ଟିସି ପଡ଼ିଆ, ପଥର କାଳୀପଡିଆରେ ଲାଗିଥିବା ମିନାବଜାର ନିକଟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ସହରର ସମସ୍ତ ମୁଖ୍ୟରାସ୍ତା ତଥା ଚରମ୍ପା ଅଞ୍ଚଳ ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ରଙ୍ଗିନ ଆଲୋକରେ ଆଖି ଝଲସାଉଛି। ତେବେ ଲୁଟେରାଙ୍କ ଟାର୍ଗେଟରେ କାଳୀପୂଜା ବଜାର। ମୋବାଇଲ ଓ ପର୍ସ ଲୁଟେରାଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗୁରୁବାର ୩ ଜଣ ଲୁଟେରାଙ୍କୁ ପୋଲିସ କାବୁ କରି ଜେରା କରିଥିଲା। ଚଳିତବର୍ଷ କାଳୀପୂଜାରେ ୫ରୁ ଊର୍ଦ୍ଧ୍ୱ ମୋବାଇଲ ଚୋରି ହୋଇଥିବା ଜଣାପଡ଼ିଛି।

Share