Categories: ଭଦ୍ରକ

ଭଦ୍ରକ ଜିଲା ଲକ୍‌ଡାଉନ୍‌ ଘୋଷଣା

 

ଭଦ୍ରକ ଅଫିସ, ୨୪ା୩- କରୋନାର ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ଜିଲାରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ପୂର୍ବରୁ କେବଳ ଭଦ୍ରକ ସହରକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଏବେ ଜିଲାର ସମସ୍ତ ପୌରପାଳିକା, ଏନ୍‌ଏସି ଓ ପଞ୍ଚାୟତ ଏହି କଟକଣାରେ ସାମିଲ ହୋଇଛି। ପୂର୍ବ ନିର୍ଦ୍ଦେଶାନାମା ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନଗୁଡ଼ିକୁ ବାଦ୍‌ ଦେଇ ଗାଁ ଓ ସହର ସବୁଠି ଅନ୍ୟ ସମସ୍ତ ଦୋକାନ ବନ୍ଦ ରଖାଯିବ। ମଙ୍ଗଳବାରଠାରୁ ସରକାରୀ କିମ୍ବା ଘରୋଇ ବସ୍‌ ଚଳାଚଳ କରିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଭଦ୍ରକ ସହରର ସମସ୍ତ ପ୍ରବେଶ ପଥରେ ପୋଲିସ ବ୍ଲକିଂ କରି ଲୋକଙ୍କୁ ଘରୁ ନ ବାହାରିବା ପାଇଁ ସଚେତନ କରାଉଛି। ପିସିଆର୍‌ ଭ୍ୟାନ୍‌ଗୁଡ଼ିକରେ ମାଇକ୍‌ ଲଗାଯାଇ ପ୍ରଚାର କରାଯାଉଛି। ଜିଲା ଲୋକସମ୍ପର୍କ ବିଭାଗ ଓ ପୌରପାଳିକା ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ପ୍ରଚାର ଗାଡ଼ି ଘୂରୁଛି। ଲକ୍‌ଡାଉନ୍‌ ଆଇନକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ତାଗିଦ କରାଯାଉଛି। ତେବେ କଟକଣାକୁ ନ ମାନି ସ୍ଥାନୀୟ ଗବସାହିର ଜଣେ ସିମେଣ୍ଟ ବ୍ୟବସାୟୀ ଦୋକାନ ଖୋଲିବାରୁ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବନ୍ତ ଛକର ଅନ୍ୟ ଜଣେ ଯୁବକଙ୍କୁ ପୋଲିସ ଅଟକ ରଖିଛି। ଗ୍ରାମାଞ୍ଚଳ ଥାନା ପୋଲିସ ବରପଦା ବଜାରରୁ ୩ ଜଣ ଚା, ପାନ ଓ ମୋବାଇଲ ଦୋକାନୀଙ୍କୁ ଉଠାଇ ଆଣିଥିବା ଜଣାପଡିଛି।
ପରିବହନ ବିଭାଗ ପକ୍ଷରୁ ଯାଞ୍ଚ
ଲକ୍‌ଡାଉନ୍‌ ସମୟରେ ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସୋମବାର ଯାଞ୍ଚ କରାଯାଇ ୨୬ ଟି ଗାଡ଼ିରୁ ୧ ଲକ୍ଷ ୨୦ ହଜାର ୫ଶହ ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜିଲା ପରିବହନ ଅଧିକାରୀ ବିରଞ୍ଚତ୍ ନାରାୟଣ ଅଧିକାରୀ ସୂଚନା ଦେଇଛନ୍ତି। ଗୋଟିଏ ବାଇକ୍‌ରୁ ସର୍ବାଧିକ ୧୨ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ସୂଚନା ମିଳିଛି।