ଭଦ୍ରକ ଜିଲା ସଟ୍‌ଡାଉନ୍‌: କୁଲଣାଠାରେ ମଞ୍ଜୁରୀରୋଡ-ଛତାବର ମୁଖ୍ୟ ରାସ୍ତା ସିଲ, ୪ ପଞ୍ଚାୟତ ଲୋକେ ହିନସ୍ତା

ଭଣ୍ଡାରିପୋଖରୀ,୨୪।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଯୋନ୍‌ ଭାବେ ଘୋଷଣା କରାଯାଇଛି। ପଞ୍ଚାୟତର ୨୩ଟି ସ୍ଥାନରେ ବିଭିନ୍ନ ରାସ୍ତାକୁ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ମଞ୍ଜୁରୀରୋଡ ଅଞ୍ଚଳକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ଛତାବର-ଛଂଚିନା ପୂର୍ତ୍ତ ବିଭାଗ ରାସ୍ତାକୁ ସିଲ୍‌ କରାଯାଇଛି। ଫଳରେ ମଞ୍ଜୁରୀରୋଡ ଅଞ୍ଚଳର ଚାରି ପଞ୍ଚାୟତ ନାଆମି, ସାନଶାସନ, ରାଜେନ୍ଦ୍ରପୁର ଓ ନ୍ଦାଲୋ ମଢ଼ିଆଳି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଉକ୍ତ ଅଞ୍ଚଳର ଲୋକେ ନିର୍ଭର କରୁଥିବା ମଞ୍ଜୁରୀରୋଡ ବଜ଼ାରକୁ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଯାଇପାରୁ ନାହାନ୍ତି। ଫଳରେ ଖାଦ୍ୟ ସାମଗ୍ରୀର ଅଭାବ ଆଶଙ୍କା ପ୍ରକାଶ ପାଇଛି। ଏଣୁ ମୁଖ୍ୟ ରାସ୍ତାରୁ ସିଲ୍‌ ହଟାଯାଇ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ଶାଖା ରାସ୍ତାକୁ ସିଲ ରଖାଯିବାକୁ ଦାବି ହେଉଛି। ଏ ସମ୍ପର୍କରେ କଣ୍ଟେନମେଣ୍ଟ ଯୋନ୍‌ର ନୋଡାଲ ଅଧିକାରୀ ତଥା ସ୍ତାନୀୟ ବିଡିଓ ଉମେଶ ମଲୀକଙ୍କୁ ପଚାରିବାରୁ ସେ ଏଥି ପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି। ପ୍ରକାଶ ଯେ, ଗୁରୁବାର ରାତି ୧୦ ଟାରୁ ୨୬ ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ ଭଦ୍ରକ ଜିଲାକୁ ସଟ୍‌ଡାଉନ ଘୋଷଣା କରାଯାଇଛି।