‘ଭଦ୍ରକ ତ୍ୟାଗ ଓ ବଳିଦାନର ମାଟି’

ଭଦ୍ରକ ଅଫିସ, ୧୭ା୧୨- ଭଦ୍ରକ ଟାଉନ ହଲ ପରିସରରେ ୭ ଦିନ ଧରି ଚାଲିଥିବା ତ୍ୟାଗଭୂମି ମହୋତ୍ସବ ମଙ୍ଗଳବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପୌରାଣିକ କଥାବସ୍ତୁକୁ ମନେ ପକାଇ ଓଡ଼ିଶାର ସଂଗ୍ରାମୀଙ୍କ ସାହସିକତାକୁ ପ୍ରଶଂସା କରିଥିଲେ। ସେ ଭଦ୍ରକକୁ ତ୍ୟାଗ ଓ ବଳିଦାନର ମାଟି ବୋଲି ଅବିହିତ କରିଥିଲେ। ଏହି ପରିପ୍ରେକ୍ଷୀରେ ସେ ଶ୍ରୀକୃଷ୍ଣ ଓ ସୁଦାମାଙ୍କ ବନ୍ଧୁତାର ସମ୍ପର୍କର ଉଦାହରଣ ରଖି ଓଡ଼ିଆ ଭାଷାରେ ବକ୍ତବ୍ୟ ରଖିଥିଲେ ।

ଉଦ୍‌ଯାପନୀ ସମାରୋହରେ ଅନ୍ୟତମ ଅତିଥି ଭାବେ ଏମପି ମଞ୍ଜୁଲତା ମଣ୍ଡଳ ଓ ମୁଖ୍ୟବକ୍ତା ଭାବେ ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଯୋଗ ଦେଇ ସ୍ବାଧୀନତା ସଂଗ୍ରାମଠାରୁ ଆରମ୍ଭ କରି କଳାସଂସ୍କୃତି , ରାଜନୀତି, ସାହିତ୍ୟ ଆଦି କ୍ଷେତ୍ରରେ ଭଦ୍ରକର ଅବଦାନ ରହିଥିବା କହିଥିଲେ। ମହୋସତ୍ବ ସଭାପତି ଅଜୟ ନାୟକ ପ୍ରାକ୍‌ କଥନ ରଖିଥିବା ବେଳେ ତୁଷାରକାନ୍ତି ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ। ଡ. ପ୍ରଭାସ ମହାନ୍ତି ସ୍ବାଗତ ଭାଣେ ଦେଇଥିଲେ। ଅଧିବକ୍ତା ଗଦାଧର ବଳ, ପଙ୍କଜ କୁମାର ବଳ, ଅଧ୍ୟାପକ ଅଭୟ ଦାସ, ସମାଜସେବୀ ସୁଧାକର ରାଉତ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଅତିଥିଙ୍କ ଦ୍ୱାରା ତ୍ୟାଗଭୂମିର କବିତା ପୁସ୍ତକ ଉନ୍ମୋଚିତ ହୋଇଥିଲା।