ଭଦ୍ରକ ଷ୍ଟେସନରେ ଅପରାହ୍ନରେ ପହଞ୍ଚିବ ସ୍ବତନ୍ତ୍ର ଟ୍ରେନ୍‌: ଚରମ୍ପା ଅଞ୍ଚଳରେ ୨୪ ଘଣ୍ଟିଆ କର୍ଫ୍ୟୁ

ଭଦ୍ରକ ଅଫିସ, ୧୨।୫: ପ୍ରବାସୀ ଓଡ଼ିଆଙ୍କୁ ନେଇ ଭଦ୍ରକ ଷ୍ଟେସନରେ ମଙ୍ଗଳବାର ଅପରାହ୍ନରେ ୨ଟି ସ୍ବତନ୍ତ୍ର ଟ୍ରେନ୍‌ ପହଞ୍ଚିବ। ଏଥିପାଇଁ ପ୍ରଶାସନ ଓ ରେଲୱେ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରବାସୀ ଓହ୍ଲାଇବା ପରେ ପ୍ରଶାସନ ପକ୍ଷରୁ ସ୍କ୍ରିନିଂ ଓ ଅନ୍ୟାନ୍ୟ ପରୀକ୍ଷା କରାଯାଇ ଏକ ସ୍ବତନ୍ତ୍ର ବସ୍‌ ଯୋଗେ ସେମାନଙ୍କୁ ନିଜ ଜିଲାକୁ ପଠାଇଦିଆଯିବ। ତେବେ ସୁରକ୍ଷା ଦୃଟେିରୁ ଚରମ୍ପା ଷ୍ଟେସନ ଅଞ୍ଚଳର ୫୦୦ମିଟର ପରିସୀମା ମଧ୍ୟରେ ୨୪ ଘଣ୍ଟିଆ କର୍ଫ୍ୟୁ କଟକଣା ଜାରି କରାଯାଇଛି। ଅପରାହ୍ନ ୨ଟାରୁ ବୁଧବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଡଗରାସାହି ଛକଠାରୁ ଗୁଣ୍ଠୁଣିଆ ବଜାର ମାଲ ଗୋଦାମ ରାସ୍ତା, ତେଲେଙ୍ଗା ସାହି ଗଳି ଛକଠାରୁ ଫିଲ୍ମ ହଲ୍‌ ଛକ, ବେଲମଳାଠାରୁ ଷ୍ଟେସନ ଓ ଚରମ୍ପା ଓ଼ଭର ବ୍ରିଜଠାରୁ ଜାଭିୟର ସ୍କୁଲ ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଲଗାଯାଇଛି। ଅପରପକ୍ଷେ ଭଦ୍ରକ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ପୋଲିସ ଆଇନ ଶୃଙ୍ଖଳା ବ୍ୟବସ୍ଥାର ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିଜେ ଜିଲାପାଳ ଡ଼ ଜ୍ଞାନ ରଞ୍ଜନ ଦାସ ଓ ଏସ୍‌ପି ରାଜେଶ ପଣ୍ଡିତ ଏହାର ତଦାରଖ କରୁଥିବା ଜଣାପଡିଛି।

Share